Categories: ବାଣିଜ୍ୟ

‘ଦେଶରେ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ’

ଭୁବନେଶ୍ୱର, ୩୧।୭(ଅନୁରାଧା ମହାରଣା): ବର୍ତ୍ତମାନ ଭାରତରେ ଦୁଇଟି ଆୟକର ବ୍ୟବସ୍ଥା କାର୍ଯ୍ୟକାରୀ ଥିବାବେଳେ ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ ବୋଲି ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ସଞ୍ଜୟ ମାଲହୋତ୍ରା କହିଛନ୍ତି। ସେ କହିଛନ୍ତି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ନ ଦାଖଲ କରୁଥିବା ୭୦ ପ୍ରତିଶତ ଟିକସଦାତା ନୂତନ ଆୟକର ବ୍ୟବସ୍ଥାରେ ଆୟକର ରିଟର୍ନ ଦାଖଲ କରିଛନ୍ତି। ବ୍ୟବସାୟ ଚାମ୍ବର ପିଏଚ୍‌ଡି ହାଉସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ପୋଷ୍ଟ ବଜେଟ ଅଧିବେଶନକୁ ସମ୍ବୋଧିତକରି ମାଲହୋତ୍ରା କହିଛନ୍ତି, ବର୍ତ୍ତମାନ ଦେଶରେ ଏକ ପୁରୁଣା ଆୟକର ବ୍ୟବସ୍ଥା ଏବଂ ଏକ ନୂତନ ଆୟକର ବ୍ୟବସ୍ଥା ରହିଛି। ମାତ୍ର ଦେଶରେ କେବଳ ଗୋଟିଏ ଆୟକର ବ୍ୟବସ୍ଥା ରହିବା ଉଚିତ। ଗତ ୨୩ ତାରିଖରେ ବଜେଟ ଉପସ୍ଥାପନ କରୁଥିବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆୟକର ଅଧିନିୟମ ୧୯୬୧ର ସମୀକ୍ଷା ଘୋଷଣା କରିଛନ୍ତି, ଯାହା ୬ ମାସ ମଧ୍ୟରେ ପୂରଣ ହେବ। ରାଜସ୍ବ ସଚିବ କହିଛନ୍ତି, ଆୟକର ଅଧିନିୟମର ସମୀକ୍ଷା ଏକ ବଡ଼ କାର୍ଯ୍ୟ। କାରଣ ଏହି ଅଧିନିୟମ ୧୬୦୦ ପୃଷ୍ଠାର । ଏହି ଅଧିନିୟମକୁ ସମୀକ୍ଷା କରିବା ଏକ ବଡ ଆହ୍ବାନ। ପୁଞ୍ଜି ଲାଭ ଟିକସ ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୦.୫ ଲକ୍ଷ ରିଟର୍ନ ଅଧ୍ୟୟନ କରିଥିଲୁ ଯେଉଁଥିରେ ଜମି ଏବଂ କୋଠାଘରରୁ ପୁଞ୍ଜି ଲାଭ ମିଳିଥିଲା। ସେ କହିଛନ୍ତି, ୨୦୨୨-୨୩ରେ ରିଅଲ ଇଷ୍ଟେଟ ଉପରେ ପ୍ରଭାବଶାଳୀ ଦୀର୍ଘକାଳୀନ କ୍ୟାପିଟାଲ ପୁଞ୍ଜି ଲାଭ ହାର ୧୧.୫୪ ପ୍ରତିଶତ ଥିଲା, ଯାହା ଦରମା ଉପରେ ଆୟକରଠାରୁ କମ୍‌। ଏଭଳି ପରିସ୍ଥିତିରେ ରିଅଲ ଇଷ୍ଟେଟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସରେ ସାମାନ୍ୟ ବୃଦ୍ଧି ଘଟିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟରେ, ସମ୍ପତ୍ତି ବିକ୍ରୟ ଉପରେ ଦୀର୍ଘକାଳୀନ ପୁଞ୍ଜି ଲାଭ ଟ୍ୟାକ୍ସ ହିସାବ କରିବାକୁ ସୂଚକାଙ୍କ ଲାଭ ରଦ୍ଦ ହୋଇଛି।

Share