Categories: ଜାତୀୟ

ଅଗଷ୍ଟ ୫କୁ ମନେ ରଖିବ ଦେଶ, ବିରୋଧୀ କରୁଛନ୍ତି ସେଲ୍ଫ ଗୋଲ, କହିଲେ ମୋଦି…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରପ୍ରଦେଶରେ ’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀର ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଦେଶ କୀର୍ତ୍ତି ସ୍ଥାପନ କରୁଥିବାବେଳେ ବିରୋଧୀ ଦଳ ସେଲ୍ଫ ଗୋଲ କରିବାରେ ବ୍ୟସ୍ତ ରହିଛନ୍ତି। ନୂଆ ଭାରତ ଆଗକୁ ବଢ଼ିବାରେ ଲାଗିଛି। ଅଗଷ୍ଟ ୫ କୁ ଦେଶ ସବୁବେଳେ ମନେ ରଖିବ। ଅଗଷ୍ଟ ୫ର, ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ସେହିପରି ଗତ ବର୍ଷ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଏହି ଦିନ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଅଗଷ୍ଟ ୫ରେ ଭାରତୀୟ ପୁରୁଷ ହକି ଦଳ ଅଲିମ୍ପିକ୍‌ରେ ୪୧ ବର୍ଷ ପରେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛି। ଅଲିମ୍ପିକ୍ସରେ ଦେଶର ଖେଳାଳିମାନେ ଭଲ ପ୍ରଦର୍ଶନ କରୁଥିବାବେଳେ କରୋନା ଟିକାକରଣର ସଂଖ୍ୟା ୫୦ କୋଟିରେ ପହଞ୍ଚିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share