Categories: ଜାତୀୟ

ଦେଶର ପ୍ରଥମ ପେପର ଲେସ୍‌ ବିଧାନସଭା, ଇତିହାସ ରଚିଲା ନାଗାଲାଣ୍ଡ…

କୋହିମା,୨୦।୩ : ନାଗାଲାଣ୍ଡର ବିଧାନସଭା ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛି। ନାଗାଲାଣ୍ଡ ବିଧାନସଭା ଦେଶର ପ୍ରଥମ ପେପର ଲେସ୍‌ (କାଗଜ ବିହୀନ) ବିଧାନସଭା ପାଲଟିଛି। ଶନିବାର ବିଧାନସଭା ସମ୍ପୂର୍ଣ୍ଣ କାଗଜ ବିହୀନ ହୋଇଛି। ଏଠାରେ ଜାତୀୟ ଇ-ବିଧାନ ଆପ୍ଲିକେଶନ (ନେଭା) ର କାର୍ଯ୍ୟକ୍ରମ ଲାଗୁ ହୋଇଛି।

ବିଧାନସଭା କାଗଜ ବିହୀନ ହୋଇଯିବାରୁ ନାଗାଲାଣ୍ଡ ବିଧାନସଭା ସଚିବାଳୟରେ ଚାଲିଥିବା ବଜେଟ ଅଧିବେଶନ ମଧ୍ୟରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର ପ୍ରତ୍ୟେକ ଟେବୁଲରେ ଏକ ଟାବଲେଟ ସଂଲଗ୍ନ କରାଯାଇଛି ।

ସଂସଦୀୟ ମନ୍ତ୍ରୀ ପ୍ରହଲଦ ଯୋଶୀ ଟୁଇଟ କରି ସୂଚନା ଦେଇଛନ୍ତି ଯେ ନାଗାଲାଣ୍ଡ ଜାତୀୟ ଇ-ବିଧାନ ଯୋଜନା ଅଧୀନରେ ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ବିଧାନ ସଭା ହୋଇଛି । ବର୍ତ୍ତମାନ ସଦସ୍ୟମାନେ ଗୃହର ପ୍ରକ୍ରିୟାରେ ଭାଗ ନେବାକୁ ଇଲେକ୍ଟ୍ରୋନିକ ଉପକରଣ ବ୍ୟବହାର କରିପାରିବେ। ଏହି ପଦକ୍ଷେପ ଏକ କାଗଜ ବିହୀନ ପ୍ରକ୍ରିୟାକୁ ଉତ୍ସାହିତ କରୁଛି ବୋଲି ସେ କହିଛନ୍ତି।

ଅଫିସିଆଲ ନୋଟ ଅନୁଯାୟୀ, ନେଭା ଏନଆଇସି କ୍ଲାଉଡ ହେଉଛି ଏକ କାର୍ଯ୍ୟ-ପ୍ରବାହ ପ୍ରଣାଳୀ ଯାହା କ୍ଲାଉଡ ଉପରେ ନିୟୋଜିତ ହୋଇଛି। ଏହା ଗୃହର ବାଚସ୍ପତିଙ୍କୁ ଗୃହର ପ୍ରକ୍ରିୟାକୁ ସୁରୁଖୁରୁରେ ଚଳାଇବାରେ ଏବଂ ବିଧାନସଭାର କାର୍ଯ୍ୟପ୍ରଣାଳୀକୁ ବ୍ୟବସାୟକୁ ବିନଦା କାଗଜରେ ପରିଚାଳନା କରିବାରେ ସାହାଯ୍ୟ କରିବ।

Share