ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ। ବିଶାଳ ଜୈନ ଏବଂ ସେଜଲ ଯୋଶୀ ନାମକ ଯୋଡ଼ି ନଭେମ୍ବର ୧୫ରେ ଆବୁଧାବିରେ ବିବାହ କରିଥିଲେ। ଏହି ବିବାହ ପରେ ଦୁଇଜଣ ରିସେପଶନ ପାର୍ଟି ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ବଜେଟ୍‌ ସ୍ଥିର କରିଥିଲେ। କିନ୍ତୁ ପରେ ଦୁହେଁ ମିଶି ନିଷ୍ପତ୍ତି ନେଇଥିଲେ ଏହି ଟଙ୍କାକୁ ଅଯଥାରେ ଖର୍ଚ୍ଚ ନ କରି ଖାଇବାକୁ ପାଉ ନ ଥିବା ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଦେବେ। ଶେଷରେ ତାହା ମଧ୍ୟ କରିଥିଲେ।

ନବଦମ୍ପତିଙ୍କ ଏପରି ମହାନତା କାର୍ଯ୍ୟ ଦେଖି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି। ବିଶାଳ କହିଛନ୍ତି, ଆମ ବିବାହ ଭୋଜି ବଡ଼ ଆକାରରେ କରିବୁ ବୋଲି ସ୍ଥିର ହୋଇଥିଲା। ଯେଉଁଥିରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଥିଲା। କିନ୍ତୁ ଆମେ ସ୍ବାମୀ-ସ୍ତ୍ରୀ ମିଶି ନିଷ୍ପତ୍ତି ନେଲୁ ଆଜିର ସମୟରେ ଲୋକେ ରୁଟି ଖଣ୍ଡେ ଖାଇବାକୁ ପାଉ ନ ଥିବା ବେଳେ ଏତେ ଟଙ୍କା କାହିଁକି ଖର୍ଚ୍ଚ କରିବା। ତେଣୁ ଏହି ୨୦ ଲକ୍ଷ ଟଙ୍କାକୁ ଆମେ ଗରିବ ଲୋକଙ୍କୁ ବାଣ୍ଟିବାକୁ ସ୍ଥିର କଲୁ। ଆମେ ଦୁହେଁ ସେହିମାନଙ୍କ ପାଖରେ ପହଞ୍ଚିଥିଲୁ, ଯେଉଁମାନେ ଦୁଇଓଳି ଦୁଇମୁଠା ଖାଇବାକୁ ପାଉ ନାହାନ୍ତି। ଗରିବ ପିଲାଙ୍କ ପାଠପଢ଼ା ଏବଂ ଖାଇବା ପାଇଁ ଆମେ ଏହି ଟଙ୍କା ଖର୍ଚ୍ଚ କରିଛୁ। ଅକ୍ଷୟ ପାତ୍ର ନାମକ ଏକ ସଂସ୍ଥାକୁ ଉକ୍ତ ଟଙ୍କା ଦାନ କରିଛୁ। ଏଥିରେ ଆମକୁ ବହୁତ ଖୁସି ମିଳିଛି। ଯାହା ଭୋଜିରୁ ମିଳି ନ ଥାନ୍ତା। ନବଦମ୍ପତିଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share