ରାଜକୋଟ୍,୧୮ା୪ : ଗୁଜରାଟର ରାଜକୋଟ୍ ଜିଲାରେ ଜଣେ ୩୮ ବର୍ଷୀୟ ଚାଷୀ ଓ ତାଙ୍କ ସ୍ତ୍ରୀ ରବିବାର ଗିଲୋଟିନ୍ ଭଳି ଅସ୍ତ୍ରରେ ସେମାନଙ୍କ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ଜିଲାର ଭିଞ୍ଚତ୍ୟା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ସହ ଗୁଣିଗାରେଡ଼ି ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇ ନ ଥିବା ପୋଲିସ କହିଛି। ଆତ୍ମହତ୍ୟା ସ୍ଥଳରୁ ପୋଲିସ ଏକ ହାତଲେଖା ଚିଠି ପାଇଛି। ଗୁଜରାଟୀ ଭାଷାରେ ଲେଖାଥିବା ଏହି ଚିଠିରେ ଦମ୍ପତିଙ୍କ ଆଙ୍ଗୁଠି ଛାପ ରହିଛି। ସେମାନେ ନିଜ ଇଚ୍ଛାରେ ଆତ୍ମହତ୍ୟା କରିଛନ୍ତି ଓ ଏଥିପାଇଁ କେହି ଦାୟୀ ନୁହନ୍ତି ବୋଲି ଉକ୍ତ ଚିଠିରେ ଲେଖାଯାଇଛି। ମୃତକ ହେମୁ ମାକଓ୍ବାନା ଓ ସ୍ତ୍ରୀ ହାଂସ ମାକଓ୍ବାନା ସେମାନଙ୍କ ଚାଷଜମିରେ ମୁଣ୍ଡ କାଟି ଆତ୍ମହତ୍ୟା କରିଛନ୍ତି। ରବିବାର ସକାଳେ ସେମାନଙ୍କର ଦୁଇ ପୁଅଝିଅ ମାମୁଘରୁ ଫେରି ମାଆବାପାଙ୍କ ମୁଣ୍ଡବିହୀନ ମୃତଦେହ ଦେଖିବାକୁ ପାଇଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ କହିବା ଅନୁଯାୟୀ ଆତ୍ମହତ୍ୟା ପାଇଁ ଦମ୍ପତି ଗିଲୋଟିନ୍ ଭଳି ଅସ୍ତ୍ର ତିଆରି କରିଥିଲେ। ଏହାର ବ୍ଲେଡ୍କୁ ବାହାର କରି ସେମାନଙ୍କ ମୁଣ୍ଡ ପାଖରେ ଏଭଳି ଲଗାଇଦେଇଥିଲେ, ଯେପରି ମୁଣ୍ଡ କଟି ଅଗ୍ନିକୁଣ୍ଡରେ ପଡ଼ିବ। ଆତ୍ମହତ୍ୟାର ଦିନକ ପୂର୍ବରୁ ସେମାନେ ପିଲାମାନଙ୍କୁ ମାମୁଘରକୁ ପଠାଇଦେଇଥିଲେ।