ବିଲକୁ ଯାଉଥିବା ବେଳେ ଝାମ୍ପିନେଲା ଭାଲୁ

ଠାକୁରମୁଣ୍ଡା,୨୬ା୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅଧୀନ ସାଲେଇବେଡ଼ା ପଞ୍ଚାୟତର କାଶୀବେଡ଼ା ଗ୍ରାମରେ ଶୁକ୍ରବାର ଭାଲୁ ଆକ୍ରମଣରେ ଦମ୍ପତି ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ପ୍ରଥମେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଦମ୍ପତି ହେଲେ ହିନ୍ଦୁରାମ ଗୁନଦୁଆ ଓ ତାଙ୍କ ସ୍ତ୍ରୀ ଚୁଙ୍ଗା। ସକାଳ ପ୍ରାୟ ୬ଟା ସମୟରେ ସେମାନେ ଧାନ ବିଲକୁ ଯାଉଥିବା ବେଳେ ଏକ ଭାଲୁ ଆସି ସ୍ତ୍ରୀ ଚୁଙ୍ଗାଙ୍କୁ ଆକ୍ରମଣ କରିଥିଲା। ଭାଲୁ କବଳରୁ ତାଙ୍କୁ ରକ୍ଷା କରିବାକୁ ଯାଇ ହିନ୍ଦୁରାମ ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କ ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ପହଞ୍ଚିବାରୁ ଭାଲୁ ସେଠାରୁ ପଳାଇ ଯାଇଥିଲା।

Share