ନୂଆପଡ଼ା ଅଫିସ,୨୬।୯: ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ଥାନା ଅଧୀନ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁ ପ୍ରେମୀଯୁଗଳ ନିଖୋଜ ଥିବା ଜଣାପଡ଼ିଛି। ସେମାନଙ୍କ ପରିଚୟ ଜଣାପଡ଼ି ନ ଥିବା ବେଳେ ଉଭୟଙ୍କ ପୋଷାକ, ଟର୍ଚ ଲାଇଟ ଓ କିଛି କାଗଜପତ୍ର ପଲିଥିନରେ ବାନ୍ଧି ଏକ ଗଛରେ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ସେସବୁକୁ ଧରମବନ୍ଧା ପୋଲିସ ଜବତ କରିଛି। ନୂଆପଡା ପୋଲିସ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧନା ମିଳିନାହିଁ। ସନ୍ଧ୍ୟା ହେବାରୁ ସୋମବାର ସକାଳେ ପୁଣିଥରେ ଖୋଜାଖୋଜି କରାଯିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।
ମିଳିଥିବା ସୂଚନା ମୁତାବକ, ରବିବାର ପ୍ରେମୀଯୁଗଳ ଏଠାକୁ ଆସିଥିଲେ। ସେମାନେ ଗୋଧ୍ୱସ ଜଳ ପ୍ରପାତକୁ ଡେଇଁଥିବା ସ୍ଥାନୀୟ କିଛି ଲୋକ ଦେଖିଥିବା ପୋଲିସକୁ କହିଛନ୍ତି। ସେଠାରୁ ମିଳିଥିବା କାଗଜପତ୍ରରୁ ସେମାନେ ଛତିଶଗଡ ରାଜ୍ୟ ଗରିଆବନ୍ଧ ଜିଲା ପିପଳଚୁଡି ଥାନା ଥୁଆପାଣିର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ଧରମବନ୍ଧା ଥାନା ପୋଲିସ ଥୁଆପାଣି ଗ୍ରାମକୁ ଖବର ଦେଇଥିଲା । ଥୁଆପାଣି ଗାଁର କିଛି ଲୋକେ ଆସି ଧରମବନ୍ଧା ଥାନାରେ ଆମର ଝିଅପୁଅ କିଛି ଦିନ ହେଲା କେଉଁଆଡ଼େ ପଳାଇ ଯାଇଛନ୍ତି ବୋଲି କହିଛନ୍ତି। ହେଲେ ଜଳପ୍ରପାତରେ ଡେଇଁଥିବା ପ୍ରେମୀଯୁଗଳ ସେମାନେ କି ନାହିଁ ତାହା ଜଣାପଡ଼ି ନାହିଁ।