Categories: ଜାତୀୟ

ଘର ଉତ୍ତରପ୍ରଦେଶ, ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ଅନ୍ୟ ରାଜ୍ୟରେ ଫୋପାଡ଼ି ଦେଲେ ପ୍ରେମୀ ଯୁଗଳଙ୍କ ମୃତଦେହ

ନୂଆଦିଲ୍ଲୀ,୧୭।୯: ଉତ୍ତରପ୍ରଦେଶରୁ ପଳାଇ ଆସିଥିବା ପ୍ରେମୀ ଯୁଗଳଙ୍କୁ ପ୍ରଥମେ ଦିଲ୍ଲୀରୁ ଅପହରଣ କରାଯାଇଥିଲା। ସେମାନଙ୍କୁ ମଧ୍ୟପ୍ରଦେଶରେ ହତ୍ୟା କରିବା ପରେ
ତାଙ୍କ ମୃତଦେହକୁ ଫୋପାଡ଼ି ଦିଆଯାଇଥିଲା ଅନ୍ୟ ରାଜ୍ୟରେ।

ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରୁ ମିଳିଥିବା ବେଳେ ରାଜସ୍ଥାନରୁ ଯୁବତୀଙ୍କ ମୃତଦେହ ମିଳିଥିବା ୟୁପି ପୋଲିସ ଅଧିକାରୀ କହିଛନ୍ତି। ଯୁବତୀ ଜଣଙ୍କ ନାବାଳିକା ଥିଲେ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଉଭୟ ମୃତକଙ୍କ ଘର ଉତ୍ତରପ୍ରଦେଶରେ। ଦୁହେଁ ପରସ୍ପରକୁ ବିବାହ କରିବା ପାଇଁ ପରିବାରବର୍ଗଙ୍କୁ ବୁଝାଇବାରେ ବିଫଳ ହେବା ପରେ ଗତ ଜୁଲାଇ ୩୧ ତାରିଖରେ ଘର ଛାଡ଼ି ପଳାଇଥିଲେ। ଉଭୟଙ୍କ ପରିବାର ଲୋକେ ସେମାନଙ୍କୁ ଦିଲ୍ଲୀରେ ଠାବ କରିବା ପରେ ଅପହରଣ କରି ଏକ ଜିପରେ ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳକୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ନେଇ ଯାଇଥିଲେ ଗ୍ବାଲିଅର। ବାଟରେ ଅଭିଯୁକ୍ତମାନେ ସେମାନଙ୍କୁ ହତ୍ୟା କରିଥିଲେ।

ଉଭୟଙ୍କୁ ହତ୍ୟା କରିବା ପରେ ମଧ୍ୟ ସେମାନଙ୍କ ରାଗ ଶାନ୍ତ ହୋଇ ନ ଥିଲେ। ଯୁବକଙ୍କୁ ହତ୍ୟା କରିବା ପରେ ଛୁରୀ ଭୁଷି ତାଙ୍କ ଯୌନାଙ୍ଗ ନଷ୍ଟ କରି ଦେଇଥିଲେ। ପରେ ଯୁବତୀଙ୍କୁ ତଣ୍ଟି ଚିପି ହତ୍ୟା କରିବା କରାଯାଇଥିଲା। ତାଙ୍କ ମୃତଦେହକୁ ଫିଙ୍ଗି ଦେଇଥିଲେ ରାଜସ୍ଥାନର ଢ଼ୋଲପୁର ଅଞ୍ଚଳରେ।

ରାଜସ୍ଥାନ ପୋଲିସକୁ ପ୍ରଥମେ ମିଳିଥିଲା ଯୁବତୀଙ୍କ ମୃତଦେହ। ତାଙ୍କ ପରିଚୟ ପ୍ରଘଟ କରିଥିଲେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲାର ଜାହାଙ୍ଗିରପୁର ଅଞ୍ଚଳର ଜଣେ ବାସିନ୍ଦା। ସେ ତାଙ୍କ ପଡ଼ୋଶୀଙ୍କ ସହ ଘର ଛାଡ଼ି ପଳାଇଥିବା ପୋଲିସ ଜାଣିବାକୁ ପାଇଥିଲା। ତା’ ପରେ ରାଜସ୍ଥାନ ପୋଲିସ ଯୋଗାଯୋଗ କରିଥିଲା ଫିରାଜାବାଦ୍‌ ଥାନାକୁ, ଯେଉଁଠାରେ ଯୁବକଙ୍କ ନିଖୋଜ ଅଭିଯୋଗ କରିଥିଲେ ତାଙ୍କ ବାପା। ଅଗଷ୍ଟ ୫ ତାରିଖରେ ମିଳିଥିଲା ଯୁବକଙ୍କ ମୃତଦେହ। ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଫୋନ ଲୋକେଶନ ଯାଞ୍ଚ କରିବା ପରେ ଯୁବତୀଙ୍କ ପରିବାର ବର୍ଗ ଦିଲ୍ଲୀ, ଭିଣ୍ଡ, ଗ୍ବାଲିଅର ଓ ଢ଼ୋଲପୁର ଯାଇଥିବା ଜଣାପଡ଼ିଥିଲା। ପଚରାଉଚୁରା ବେଳେ ସେମାନେ ଡବଲ ମର୍ଡର କରିଥିବା ସ୍ବୀକାର କରିଥିଲେ।

Share