Categories: ଜାତୀୟ

ପ୍ରେମୀଯୁଗଳଙ୍କୁ ଗୁଳି କରି ହତ୍ୟା

ଭୋପାଳ,୧୯ା୬: ମଧ୍ୟପ୍ରଦେଶର ମୋରେନା ଜିଲାରେ ଏକ ଅନର କିଲିଂ ଘଟଣା ସମ୍ନାକୁ ଆସିଛି। ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ଗୁଳି କରି ହତ୍ୟା ପରେ ମୃତଦେହରେ ପଥର ବାନ୍ଧି କୁମ୍ଭୀର ବହୁଳ ଚମ୍ବଲ ନଦୀରେ ଫିଙ୍ଗି ଦିଆଯାଇଛି। ଦୁଇ ସପ୍ତାହ ତଳେ ରତ୍ନବସାଇ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ନଦୀରୁ ମୃତଦେହ ଖୋଜିବାକୁ ଉଦ୍ୟମ ଜାରି ରଖିଛି। ଯୁବତୀଙ୍କ ମା’ ବାପା ଏବଂ ସମ୍ପର୍କୀୟ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ରତ୍ନବସାଇ ଗ୍ରାମର ଶିବାନୀ ତୋମାର(୧୮)ଙ୍କ ସହ ପାଖ ଗ୍ରାମ ବେଲୁପୁରାର ରାଧେଶ୍ୟାମ ତୋମାର(୨୧)ଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ହେଲେ ଝିଅ ଘର ଲୋକେ ସମ୍ପର୍କକୁ ବିରୋଧ କରି ଆସୁଥିଲେ। ଏଭଳିସ୍ଥିତିରେ ଗତ ୩ ତାରିଖରୁ ପ୍ରେମୀଯୁଗଳ ନିଖୋଜ ଥିବାରୁ ସେମାନଙ୍କୁ ହତ୍ୟା କରାଯାଇଥିବା ରାଧେଶ୍ୟାମଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପୋଲିସ ଶିବାନୀଙ୍କ ପରିବାର ଲୋକଙ୍କୁ ଥାନାକୁ ଆଣି ପଚରାଉଚରା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସେମାନେ ସ୍ବୀକାର କରିଥିଲେ। ୩ ତାରିଖରେ ଶିବାନୀ ଓ ରାଧେଶ୍ୟାମଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ମୃତଦେହରେ ପଥର ବାନ୍ଧି ଚମ୍ବଲ ନଦୀରେ ଫିଙ୍ଗିଦିଆଯାଇଥିବା ଶିବାନୀଙ୍କ ବାପା ରାଜପାଲ ସିଂ ତୋମାର ପୋଲିସ ଆଗରେ ସ୍ବୀକାର କରିଥିଲେ। ହତ୍ୟାକାଣ୍ଡକୁ ୧୫ ଦିନ ବିତିଥିବାରୁ ମୃତଦେହ ଖୋଜି ବାହାର କରିବା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

Share