ନୂଆଦିଲ୍ଲୀ,୧୪।୭: ଜଣେ ବୃଦ୍ଧାଙ୍କୁ ହତ୍ୟା କରି ଦିଲ୍ଲୀ ନଜଫଗଡ଼ ଅଞ୍ଚଳର କେନାଲରେ ଫିଙ୍ଗି ଦେବା ଘଟଣାରେ ବୁଧବାର ଏକ ଦମ୍ପତିକୁ ଗିରଫ କରାଯାଇଛି। ମୃତକଙ୍କ ଠାରୁ ଅଭିଯୁକ୍ତ ଦମ୍ପତି ୧ ଲକ୍ଷ ଟଙ୍କା ଧାରା ଆକାରରେ ନେଇଥିଲେ। କିନ୍ତୁ ସୁଜି ପାରୁ ନ ଥିଲେ ଧାର ଟଙ୍କା। ଆଉ କିଛି ବାଟ ନ ପାଇ ବୃଦ୍ଧାଙ୍କୁ ହତ୍ୟା କରିଥିଲେ। ପ୍ରମାଣ ଲୁଚାଇବା ଲାଗି ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ବ୍ୟାଗରେ ଭର୍ତ୍ତି କରି କେନାଲରେ ଫିଙ୍ଗି ଦେଇଥିବା ପୋଲିସ ଆଗରେ ଅନୀଲ ଆର୍ଯ୍ୟା ଓ ତାଙ୍କ ପତ୍ନୀ ତନୁ ସ୍ବୀକାର କରିଛନ୍ତି।
କେନାଲରୁ ୭୫ ବର୍ଷୀୟା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତକ ବାରମ୍ବାର ଧାର ଟଙ୍କା ଫେରସ୍ତ ମାଗୁଥିଲେ। କିନ୍ତୁ ଇଭେଣ୍ଟ ମ୍ୟାନେଜର ଭାବେ କାମ କରୁଥିବା ଦମ୍ପତିଙ୍କ ପାଖରେ ଫେରାଇବାକୁ ଟଙ୍କା ନ ଥିଲା। ଏଥି ଯୋଗୁ ଗତ ୩୦ ତାରିଖ ରାତିରେ ଘରେ ଏକୁଟିଆ ଥିବାବେଳେ ବୃଦ୍ଧାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିବା ରାତି ତମାମ ଘର ସଫା କରିଥିଲେ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।