Categories: ଜାତୀୟ

ଝିଅଙ୍କୁ ହତ୍ୟା କରି ଜେଲ୍‌ ଗଲେ ମା’ ବାପା

ମୁଜାଫରନଗର,୨୮।୮: ଉତ୍ତରପ୍ରଦେଶର ସାହାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୋର୍ଟରେ ପ୍ରେମିକଙ୍କ ବିରୋଧରେ ସାକ୍ଷ୍ୟ ଦେବାକୁ ମନା କରିବାରୁ ଜଣେ ଗର୍ଭବତୀ ଝିଅଙ୍କୁ ନିଜ ମା’ ବାପା ହତ୍ୟା କରିଛନ୍ତି। ଏନେଇ ପୋଲିସ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ଯୁବତୀ ତାଙ୍କ ପ୍ରେମିକଙ୍କ ସହ ୨୦୨୨ ଅକ୍ଟୋବରରେ ଫେରାର ହୋଇଯାଇଥିଲେ। ଝିଅଙ୍କ ପରିବାର ଲୋକେ ଉଭୟଙ୍କୁ ଡିସେମ୍ବରରେ ଖୋଜି ପାଇଥିଲେ। ଏନେଇ ପ୍ରେମିକଙ୍କ ବିରୋଧରେ ଅପହରଣ ସହ ଝିଅଙ୍କୁ ବଳାତ୍କାର କରିଥିବା ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଶୁଣାଣି ବେଳେ ଝିଅଙ୍କ ପରିବାର ଲୋକେ ପ୍ରେମିକଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବାକୁ ଝିଅଙ୍କୁ କହିଥିଲେ। ହେଲେ ଝିଅ ମନା କରିଦେଇଥିଲେ। ଏଥିରେ ମା’ ବାପା ଉତ୍‌କ୍ଷିପ୍ତ ହୋଇ ଝିଅଙ୍କୁ ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିଲେଏ। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି।

Share