Categories: ଜାତୀୟ

‘ ପିଲା ଜନ୍ମ ନିଷ୍ପତ୍ତି ଦମ୍ପତି ନିଅନ୍ତୁ ’

ନୂଆଦିଲ୍ଲୀ, ୧୩ା୧୨: ଦେଶବାସୀଙ୍କ ଉପରେ ପରିବାର ନିୟନ୍ତ୍ରଣ ନିଷ୍ପତ୍ତି ଛଡାଯିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟକୁ କହିଛନ୍ତି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଖଲ ପିଆଇଏଲ୍‌ର ପ୍ରତିକ୍ରିୟାରେ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଫାମିଲି ପ୍ଲାନିଂ ପାଇଁ ଦେଶବାସୀଙ୍କ ଉପରେ ଜୋର ଜବରଦସ୍ତ କରାଯାଇପାରିବ ନାହିଁ। ଏକ ଦମ୍ପତି କେତେ ସନ୍ତାନସନ୍ତତିଙ୍କୁ ଜନ୍ମ ଦେବେ ତାହା ସେମାନେ ନିଜ ଇଚ୍ଛା ଅନୁଯାୟୀ ସ୍ଥିର କରିବା ଉଚିତ। ପ୍ରଥମେ ଦିଲ୍ଲୀ ହାଇକୋର୍ଟରେ ଏହି ପିଆଇଏଲ୍‌ ଦାଖଲ କରାଯାଇଥିଲା। ଦିଲ୍ଲୀ ହାଇକୋର୍ଟ ଏହି ପିଟିସନକୁ ଖାରଜ କରିଦେଇଥିଲେ। ଏ ଦିଗରେ ସରକାର ବିଚାର କରି ଆଇନ ଆଣିପାରିବେ ବୋଲି କୋର୍ଟ କହିଥିଲେ। କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏହି ପିଟିଶନର ଶୁଣାଣି ବେଳେ କେନ୍ଦ୍ରକୁ ଜବାବ ମାଗିଥିଲେ। ଭାରତରେ ମୋଟ ପ୍ରଜନନ ହାର ହ୍ରାସ ପାଇଛି। ୨୦୦୧-୨୦୧୧ ଜନଗଣନାରୁ ଏହା ଜଣାପଡିଛି।

Share