Categories: ଜାତୀୟ

କୋଲକାତା ବଳାତ୍କାର ମାମଲାରେ ନୂଆ ଟ୍ବିଷ୍ଟ, ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବୟାନ ଉପରେ ସିବିଆଇର ସନ୍ଦେହ, ଖୋଲିବ ନୂଆ ରାଜ୍‌

ନୂଆଦିଲ୍ଲୀ,୨୩।୮: କୋଲକାତାରେ ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲା ସମ୍ପର୍କରେ ସିବିଆଇ ତଦନ୍ତ ଚଳାଇଛି। ସିବିଆଇ ଗୁରୁବାର ଆର୍‌.ଜି କର କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିଆଲଦହ କୋର୍ଟରେ ହାଜର କରାଇଥିଲା। ଯାହା ପରେ କୋର୍ଟ ସନ୍ଦୀପ ଘୋଷଙ୍କ ପଲିଗ୍ରାଫି ଟେଷ୍ଟକୁ ଅନୁମୋଦନ ଦେଇଛନ୍ତି। ଏହା ବ୍ୟତୀତ ଚାରିଜଣ ଟ୍ରେନି ଡାକ୍ତରଙ୍କ ପଲିଗ୍ରାଫି ଟେଷ୍ଟ ମଧ୍ୟ କରାଯିବ।

୮-୯ ଅଗଷ୍ଟ ରାତିରେ ଘଟିଥିବା ବଳାତ୍କାର-ହତ୍ୟା ମାମଲାର ପ୍ରକୃତ ସତ୍ୟତା ଏଯାଏ ସିବିଆଇ ହାତରେ ଲାଗିନାହିଁ। ଏହି କାରଣରୁ ସିବିଆଇ ସଞ୍ଜୟ ରୟ, ସନ୍ଦୀପ ଘୋଷ ଏବଂ ସେହି ଚାରିଜଣ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଚାହୁଁଛି, ଯେଉଁ ୪ ଜଣ ମୃତକଙ୍କ ସହ ରାତ୍ରୀ ଭୋଜନ କରିଥିଲେ। ସିବିଆଇ ଅନୁଭବ କରୁଛି ଯେ ଏହି ଲୋକମାନେ ପଚରାଉଚରା ସମୟରେ ସତ କହୁ ନାହାଁନ୍ତି କିମ୍ବା କିଛି ଲୁଚାଉଛନ୍ତି।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଗତ ୭ ଦିନ ପଚରାଉଚରା ବେଳେ ସନ୍ଦୀପ ଘୋଷ ଦେଇଥିବା ବିବୃତ୍ତି ସିବିଆଇକୁ ଠୋସ ପ୍ରମାଣ ବୋଲି ଲଗୁନାହିଁ। ସିବିଆଇ ପାଇଁ ସେହି ଚାରିଜଣ ଡାକ୍ତର ଗୁରୁତ୍ୱପୂର୍ଣ୍ଣ କାରଣ ସଞ୍ଜୟ ରୟଙ୍କ ବ୍ୟତୀତ ସେମାନେ ହିଁ ସେହି ରାତିରେ ପୀଡିତାଙ୍କୁ ଜୀବନ୍ତ ଦେଖିଥିଲେ। ମୁଖ୍ୟ ଅଭିଯୁକ୍ତ ତାଙ୍କ ଅପରାଧକୁ ସହଜରେ ସ୍ବୀକାର କରିଥିଲେ ମଧ୍ୟ ସିବିଆଇ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଏବଂ ତାଙ୍କ ବିବୃତ୍ତି ଉପରେ ସନ୍ଦେହ କରୁଛି।

ଅନ୍ୟପଟେ ପଲିଗ୍ରାଫ ଟେଷ୍ଟ ମାଧ୍ୟମରେ ସିବିଆଇ ଜାଣିବାକୁ ଚାହୁଁଛି ଯେ ହତ୍ୟା ରାତିରେ ସେହି ଚାରିଜଣ ଡାକ୍ତର ପୀଡିତାଙ୍କ ସହ କ’ଣ କଥା ହୋଇଥିଲେ? ଚାରିଜଣ କେଉଁ ଖାଦ୍ୟ ଖାଇଥିଲେ ଏବଂ ଖାଇବା ସମୟରେ ସେମାନେ କ’ଣ କଥାବାର୍ତ୍ତା କରିଥିଲେ? ରାତ୍ରୀ ଭୋଜନ ପରେ ପୀଡିତା କୁଆଡେ ଗଲେ ଏବଂ ଚାରି ଡାକ୍ତର କେଉଁଠାକୁ ଗଲେ? ସେହି ଦିନ ରାତିରେ ରାତ୍ରୀ ଭୋଜନ ପରେ ସମସ୍ତେ ପରସ୍ପରକୁ କେବେ ଭେଟିଲେ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବାକୁ ସିବିଆଇ ଚାହୁଁଛି।

Share