ମାଇକ୍ରୋସଫ୍ଟ-ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିରେ ରୋକ ଲଗାଇଲେ କୋର୍ଟ…

ଓ୍ବାଶିଂଟନ,୧୪।୬ : ଆମେରିକାର ଜଣେ ବିଚାରପତି ମାଇକ୍ରୋସଫ୍ଟ କର୍ପୋରେଶନର ଭିଡିଓ ଗେମ ନିର୍ମାତା ଆକ୍ଟିଭିଜନ ବ୍ଲିଜାର୍ଡ ଚୁକ୍ତିକୁ ଅସ୍ଥାୟୀ ଭାବରେ ଅବରୋଧ କରିବା ଏବଂ ଆସନ୍ତା ସପ୍ତାହରେ ଶୁଣାଣି ସ୍ଥିର କରିବାକୁ ଫେଡେରାଲ ବାଣିଜ୍ୟ ଆୟୋଗର (ଏଫଟିସି) ଅନୁରୋଧକୁ ମଙ୍ଗଳବାର ବିଳମ୍ବିତ ରାତିରେ ଅନୁମତି ଦେଇଛନ୍ତି।
ପ୍ରାଥମିକ ନିର୍ଦ୍ଦେଶ ପାଇଁ ଏଫଟିସିର ଅନୁରୋଧ କ୍ରମେ ସାନ ଫ୍ରାନ୍ସିସ୍କୋରେ ଜୁନ ୨୨-୨୩ରେ ଦୁଇ ଦିନିଆ ଶୁଣାଣି ହେବାକୁ ସ୍ଥିର ହୋଇଛି।

ମାଇକ୍ରୋସଫ୍ଟ ଏବଂ ଆକ୍ଟିଭିଜନକୁ ଜୁନ ୧୬ ପର୍ଯ୍ୟନ୍ତ ପ୍ରାଥମିକ ଆଦେଶକୁ ବିରୋଧ କରୁଥିବା ଆଇନଗତ ଯୁକ୍ତି ଉପସ୍ଥାପନ କରିବାକୁ ପଡିବ। ଜୁନ ୨୦ ସୁଦ୍ଧା ଏଫଟିସିକୁ ଜବାବ ଦେବାକୁ ହେବ। ଏନେଇ ମାଇକ୍ରୋସଫ୍ଟ ଏବଂ ଆକ୍ଟିଭିଜନ ପକ୍ଷରୁ କୌଣସି ମନ୍ତବ୍ୟ ପ୍ରଦାନ କରା ଯାଇନାହିଁ। ଏଫଟିସି କୌଣସି ମନ୍ତବ୍ୟ ଦେବାକୁ ମଧ୍ୟ ମନା କରିଦେଇଛି।

ମାଇକ୍ରୋସଫ୍ଟ କମ୍ପାନୀ ପ୍ରାୟ ୫,୬୮,୮୦୦ କୋଟି ଟଙ୍କାରେ କଲ ଅଫ ଡ୍ୟୁଟି ଅନ୍ତର୍ଗତ ଭିଡିଓଗେମ ନିର୍ମାତାକୁ ଅଧିଗ୍ରହଣ କରିବାକୁ ଚାହୁଁଛି। ୟୁରୋପୀୟ ୟୁନିଅନ ମେ ମାସରେ ଆକ୍ଟିଭିଜନ ଚୁକ୍ତିନାମାକୁ ଅନୁମୋଦନ କରିଥିଲା, କିନ୍ତୁ ବ୍ରିଟିଶ ପ୍ରତିସ୍ପର୍ଦ୍ଧା କର୍ତ୍ତୃପକ୍ଷ ଏପ୍ରିଲ ମାସରେ ଏହି କାରବାରକୁ ଅବରୋଧ କରିଥିଲେ।

ମାଇକ୍ରୋସଫ୍ଟ କହିଛି ଏହି ଚୁକ୍ତି ଖେଳାଳୀ ଏବଂ ଖେଳ କମ୍ପାନୀଗୁଡିକ ପାଇଁ ମଧ୍ୟ ଲାଭଦାୟକ ହେବ। ଏହି ମାମଲାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଦ୍ୱାରା ଆଣ୍ଟିଟ୍ରଷ୍ଟ କାର୍ଯ୍ୟକାରୀ ପାଇଁ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି। କିନ୍ତୁ ଆଣ୍ଟିଟ୍ରଷ୍ଟ ବିଶେଷଜ୍ଞମାନେ କହିଛନ୍ତି ଏଫଟିସି ଡିଲକୁ ରୋକିବା ପାଇଁ ଜଣେ ବିଚାରପତିଙ୍କୁ ମନାଇବା ଏକ ଚ୍ୟାଲେଞ୍ଜ।

Share