Categories: ଜାତୀୟ

‘ମୋତେ ଝରକା ନ ଥିବା ଘରେ ରଖାଯାଇଛି,ନିଃଶ୍ୱାସ ନେବାରେ କଷ୍ଟ ହେଉଛି’

ମୁମ୍ବାଇ,୪।୮: ମୁମ୍ବାଇର ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କୁ ଅଡୁଆ ବଢିବାରେ ଲାଗିଛି। ଗୁରୁବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ରିମାଣ୍ଡ ଅବଧିକୁ ଆସନ୍ତା ୮ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଗିରଫ ପରେ କୋର୍ଟ ତାଙ୍କୁ ଅଗଷ୍ଟ ୪ ଯାଏ ରିମାଣ୍ଡରେ ପଠାଇଥିଲେ। ଆଜି ଏହି ଅବଧି ଶେଷ ହେଉଥିବାରୁ ରାଉତଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା। ଏଥିସହ ଆଉ ୪ ଦିନର ରିମାଣ୍ଡ ଆବେଦନ କରାଯାଇଥିଲା। କୋର୍ଟ ଏହାକୁ ଅନୁମତି ଦେଇଛନ୍ତି।
ତେବେ ସଞ୍ଜୟ ରାଉତ କୋର୍ଟକୁ କହିଛନ୍ତି ଯେ, ମୋତେ ଇଡି ପକ୍ଷରୁ ଝରକା ନ ଥିବା ରୁମ୍‌ରେ ରଖାଯାଇଛି। ସେଥିରେ ଗୋଟିଏ ପଙ୍ଖା ଲାଗିଛି। ସେହି କୋଠରୀରେ ଭେଣ୍ଟିଲେସନ ନାହିଁ। ମୋର ହୃଦଘାତଜନିତ ସମସ୍ୟା ଅଛି, ଏହି କାରଣରୁ ନିଃଶ୍ୱାସ ନେବାରେ କଷ୍ଟକର ହୋଇପଡୁଛି।
ଏହାକୁ ଗୁରୁତର ସହ ନେଇ କୋର୍ଟ ଇଡିଙ୍କୁ ପ୍ରଶ୍ନ କରିଥିଲେ। ଇଡି ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ (ସଞ୍ଜୟ ରାଉତ) ଏସି ରୁମ୍‌ରେ ରଖାଯାଉଛି। ପରେ କୋର୍ଟ ରାଉତଙ୍କୁ ସେହି ରୁମ୍‌ରେ ଏସି ଅଛି କି ବୋଲି ପଚାରିଥିଲେ। ଜବାବରେ ସଞ୍ଜୟ କହିଛନ୍ତି, ମୁଁ ଦେଖି ନାହିଁ, ସେଠାରେ ଗୋଟିଏ ପଙ୍ଖା ଅଛି। ମୁଁ ଏସି ଚଲାଉ ନାହିଁ, କାରଣ ମୋର ନିଃଶ୍ୱାସ ନେବାରେ ଅସୁବିଧା ହେଉଛି। ଏହାପରେ କୋର୍ଟ ଭେଣ୍ଟିଲେସନ ଥିବା ରୁମ୍‌କୁ ରାଉତଙ୍କୁ ଶିଫ୍ଟ କରିବାକୁ ଇଡିଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ, ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ରାଉତ ଓ ତାଙ୍କ ପରିବାର ସଦସ୍ୟ ୧ କୋଟି ଟଙ୍କାର ଫାଇଦା ହାସଲ କରିଥିବା ଇଡି କହିଛି। ଏହି ଟଙ୍କାରେ ସଞ୍ଜୟ ରାଉତ ଆଉ କିଛି ସ୍ଥାନରେ ବିଲଡିଂ କିଣିଥିବାରୁ ଇଡି ଏହାକୁ ସିଜ ମଧ୍ୟ କରିଛି। ଗତ ରବିବାର ସଞ୍ଜୟଙ୍କୁ ଇଡି ଗିରଫ କରିଥିଲା।

Share