Categories: ଜାତୀୟ

ମାଙ୍କଡ଼ ପାଇଁ ପୋଲିସକୁ କୋର୍ଟ ନୋଟିସ

ଜୟପୁର,୭।୫: ରାଜସ୍ଥାନ ରାଜଧାନୀ ଜୟପୁରର ଚାନ୍ଦଓ୍ବାଜିରୁ ମାଙ୍କଡ଼କୁ ନେଇ ଅଜବ ଘଟଣା ସାମ୍‌ନାକୁ ଆସିଛି। ଏକ ହତ୍ୟାକଣ୍ଡର ଶୁଣାଣି ହେବାକୁ ଥିବାବେଳେ ଗୋଟିଏ ମାଙ୍କଡ଼ ପ୍ରମାଣ ବ୍ୟାଗ୍‌ ନେଇ ଚମ୍ପଟ ମାରିଛି। କୋର୍ଟ ଘଟଣା ସମ୍ପର୍କରେ ଅବଗତ ହେବାପରେ ତଦନ୍ତକାରୀ ପୋଲିସଙ୍କ ଅବସାବଧାନତା ଦର୍ଶାଇ ନୋଟିସ ଜାରି କରିଛନ୍ତି।
୨୦୧୬ ସେପ୍ଟେମ୍ବରରେ ଚାନ୍ଦଓ୍ବାଜି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଶଶିକାନ୍ତ ଶର୍ମା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଶଶିକାନ୍ତଙ୍କ ମୃତଦେହ ଜବତ ହେବାର ତିନିଦିନ ପୂର୍ବରୁ ସେ ନିଖୋଜ ଥିଲେ। ପ୍ରକାଶିତ ରିପୋର୍ଟ ଅନୁସାରେ ଶଶିକାନ୍ତଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଦାବି କରିବା ସହ ନ୍ୟାୟ ପାଇଁ ସେମାନେ ଦିଲ୍ଳୀ-ଜୟପୁର ହାଇଓ୍ବେରେ ବିକ୍ଷୋଭ କରିଥିଲେ।
ଚାନ୍ଦଓ୍ବାଜିରୁ ରାହୁଲ ଓ ମୋହନଲାଲ କାଣ୍ଡେରା ନାମରେ ଦୁଇ ଯୁବକଙ୍କୁ ଗିରଫ କରିବାପରେ ପୋଲିସ ସେମାନଙ୍କୁ ଆଡିସନାଲ ଡିଷ୍ଟ୍ରିକ୍ଟ ଜଜ୍‌ଙ୍କ କୋର୍ଟରେ ହାଜର କରିଥିଲା। ଶୁଣାଣିବେଳେ ପୋଲିସ ଏକ ବ୍ୟାଗ୍‌ରେ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ସାଙ୍ଗକୁ ୧୫ ପ୍ରକାର ପ୍ରମାଣ ରଖିଥିଲା। କୋର୍ଟ ରୁମ୍‌ରେ ଜାଗା ନ ଥିବା କାରଣରୁ ଜଣେ କନଷ୍ଟେବଳ ଏହି ପ୍ରମାଣ ବ୍ୟାଗ୍‌କୁ ଏକ ଗଛତଳେ ରଖିଦେଇଥିବାବେଳେ ଏକ ମାଙ୍କଡ଼ ସେହି ବ୍ୟାଗ୍‌ ନେଇ ଚାଲିଯାଇଥିବା ପୋଲିସ କହିଛି। ମାମଲାର ଶୁଣାଣି ଦୀର୍ଘ ବର୍ଷ ଧରି କୋର୍ଟରେ ଚାଲିଥିବାବେଳେ ନିକଟରେ ବିଜାରପତି କୋର୍ଟରେ ପ୍ରମାଣ ଦାଖଲ ପାଇଁ ତଦନ୍ତକାରୀ ପୋଲିସକୁ କହିଥିଲେ। ତେବେ ଏକ ମାଙ୍କଡ଼ ପ୍ରମାଣ ବ୍ୟାଗ୍‌ ଚୋରି କରି ନେଇଥିବା ପୋଲିସ ଲିଖିତ ଆକାରରେ କୋର୍ଟରେ କହିଛି। ଅସାବଧାନତା କାରଣରୁ ଏହା ହୋଇଥିବାବେଳେ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କୋର୍ଟ ନୋଟିସ୍‌ ଜାରି କରିଛନ୍ତି। କିନ୍ତୁ ସମ୍ପୃକ୍ତ କନଷ୍ଟେବଳ ଚାକିରିରୁ ଅବସର ନେବା ସହ ତାଙ୍କ ମୃତ୍ୟୁ ହୋଇସାରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

Share