Categories: ଜାତୀୟ

କାହିଁକି କେନ୍ଦ୍ର ମନ୍ତ୍ରୀଙ୍କ ପୁଅକୁ ଜାମିନ ଦେଲେ କୋର୍ଟ

ନୂଆଦିଲ୍ଲୀ,୧୦।୨: ଗତବର୍ଷ ଉତ୍ତରପ୍ରଦେଶର ଲଖିମପୁର ଖେରି ଅଞ୍ଚଳରେ ଗାଡ଼ି ମଡ଼ାଇ ୪ ଚାଷୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ତେନିଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଆବେଦନର ଶୁଣାଣି ବେଳେ କୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଦୃଷ୍ଟିରେ ରଖିଥିଲେ।

ଗତ ବର୍ଷ ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରି ଅଞ୍ଚଳରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ଏସ୍‌ୟୁଭି ମଡ଼ାଇ ଦେଇଥିଲେ ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ। ଏହି ଘଟଣାରେ ୪ ଚାଷୀ ଓ ଜଣେ ଖବରଦାତାଙ୍କ ମୃତ୍ୟୁ ହୋଇଥିଲା। ପରେ ଚାଷୀମାନେ ଘଟାଇଥିବା ହିଂସାରେ ଦୁଇ ଭାଜପା କର୍ମୀ ଓ ଗାଡ଼ି ଡ୍ରାଇଭର ପ୍ରାଣ ହରାଇଥିଲେ। କିଛି ଦିନ ପରେ ଆଶିଷଙ୍କୁ ଗିରଫ କରାଯାଇଥିଲା।

ପୋଲିସ ପକ୍ଷରୁ ଆଶିଷଙ୍କ ବିରୋଧରେ ଲଗାଯାଇଥିବା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇବା ସମେତ କିଛି ଦଫା ଉପରେ ପ୍ରଶ୍ନ କରିଥିଲେ ଆଲାହାବାଦ୍‌ ହାଇକୋର୍ଟ।

ଆବେଦନକାରୀ ଆଶିଷ ମିଶ୍ରା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିବା ପ୍ରମାଣ ହେଉନାହିଁ। ଯଦି ସେ ଏପରି କରିଥାନ୍ତେ, ସମ୍ପୂର୍ଣ୍ଣ ତଦନ୍ତ ପରେ ତାହାର ପ୍ରମାଣ ମିଳିଥାନ୍ତା। ମୃତକଙ୍କ ଶରୀରରେ ଗୁଳି ମାଡ଼ ଜନିତ କ୍ଷତ ଚିହ୍ନ ନ ଥିଲା ଏବଂ ଗୁଳି ମାଡ଼ରେ କୌଣସି ବ୍ୟକ୍ତି ଆହାତ ହୋଇଥିବା ଘଟଣା ସାମ୍ନାକୁ ଆସି ନ ଥିଲା। କିନ୍ତୁ ତାଙ୍କ ବିରୋଧରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇବା ପାଇଁ ଏସ୍‌ୟୁଭି ଡ୍ରାଇଭରଙ୍କୁ ଉତ୍ତେଜିତ କରିବାର ଅଭିଯୋଗ ହେଉଛି। ହେଲେ ଡ୍ରାଇଭରଙ୍କ ସମେତ ଗାଡ଼ି ମଧ୍ୟରେ ଥିବା ଅନ୍ୟ ଦୁଇ ଜଣଙ୍କୁ ଆନ୍ଦୋଳନକାରୀ ହତ୍ୟା କରିଥିଲେ। ତଦନ୍ତକାରୀ ଅଫିସର ତାଙ୍କ ପାଇଁ ସମନ ଜାରି କରିବା ପୂର୍ବରୁ ଚାର୍ଜଶିଟ୍‌ ଦାଖଲ ହୋଇସାରିଥିଲା। ଏହାକୁ ଦୃଷ୍ଟିରେ ରଖି ଆବେଦନକାରୀଙ୍କୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ଥର ଏସ୍‌ୟୁଭି ମଧ୍ୟରେ ଥିବା ୩ ଜଣଙ୍କ ମୃତ୍ୟୁକୁ କୋର୍ଟ ଅଣଦେଖା କରିପାରିବେ ନାହିଁ। ଫଟୋରୁ ଆନ୍ଦୋଳନକାରୀଙ୍କ ବର୍ବରତା ସ୍ପଷ୍ଟ ପ୍ରକାଶ ପାଉଛି। ଭାଜପା କର୍ମୀଙ୍କୁ ମାଡ଼ ମାରୁଥିବା ବ୍ୟକ୍ତିଙ୍କ ପରିଚୟ ଖୋଜିବାରେ ଆନ୍ଦୋଳନର ଆୟୋଜକଙ୍କୁ ତଦନ୍ତକାରୀ ଅଫିସରଙ୍କ ସାହାଯ୍ୟ କରିବା ଜରୁରୀ ବୋଲି କୋର୍ଟ କହିଥିଲେ।

Share