ଏସ୍‌ପିଙ୍କ ଚୌକି ଜବତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ

କେନ୍ଦୁଝର,୬ା୯: ପୋଲିସ ଗାଡ଼ି ଧକ୍କାରେ ଜଣେ ଖବରକାଗଜ ବିତରକ ପ୍ରାଣ ହରାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପାଇଁ ଅଦାଲତ ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୧୩ ବର୍ଷ ପରେ ମଧ୍ୟ କ୍ଷତିପୂରଣ ମିଳିନାହିଁ। ଫଳରେ ମୃତକଙ୍କ ପରିବାର ପକ୍ଷରୁ ପୁଣି ଅଦାଲତରେ ସତ୍ୟପାଠ ଦାଖଲ ପରେ ଜିଲା ଓ ଦୌରାଜଜ୍‌ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଅଦାଲତ ଏସ୍‌ପିଙ୍କ ଚୌକି ସମେତ ଅନ୍ୟାନ୍ୟ ଉପକରଣ ଜବତ ପାଇଁ ନୋଟିସ୍‌ କରିଛନ୍ତି। ଏଭଳି ନିର୍ଦ୍ଦେଶକୁ ନେଇ ପୋଲିସ ପ୍ରଶାସନ ଓ ବିଚାର ବିଭାଗୀୟ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ନ୍ୟାୟ ଆଗରେ ସମସ୍ତେ ସମାନ ବୋଲି ଜଜ୍‌ କହିଛନ୍ତି। ନୋଟିସ ପାଇବା ପରେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ପୀଡିତ ପରିବାରଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସୂଚନା ମିଳିଛି।

କେନ୍ଦୁଝର କବିତ୍ରା ଗ୍ରାମର ପ୍ରତାପ ଜେନା ଖବରକାଗଜ ବିତରକ ଭାବେ କାମ କରୁଥିଲେ। ସେ କେନ୍ଦୁଝର ଆସୁଥିବା ସମୟରେ ୨୦୦୮ରେ ପୋଲିସ ଗାଡି ଧକ୍କାରେ ଡେଲି ମାର୍କେଟ ନିକଟରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଅଦାଲତରେ ୨୦୧୧ରେ କ୍ଷତିପୂରଣ ମାମଲା ଦାୟର ହୋଇଥିଲା। ପୋଲିସର ଦାୟିତ୍ୱହୀନତା ପାଇଁ ଜଣେ ଗରିବ ଲୋକର ମୃତ୍ୟୁ ଘଟିଥିବା ଦର୍ଶାଇ ଜିଲା ଓ ଦୌରାଜଜ୍‌ ପୋଲିସ ଏସ୍‌ପିଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତର ନିର୍ଦ୍ଦେଶ ସେତ୍ତ୍ବେ ପୋଲିସ ପ୍ରଶାସନ କ୍ଷତିପୂରଣ ଦେବାରେ ବିଳମ୍ବ କରିଥିଲେ। ୨୦୧୪ରେ ଏହି ଘଟଣାର ରାୟ ପ୍ରକାଶ ପାଇଥିଲା। ରାୟରେ ୨୦୧୧ରୁ ୯ ପ୍ରତିଶତ ସୁଧ ସହିତ ଏହି କ୍ଷତିପୂରଣ ରାଶି ମୃତକ ପରିବାରକୁ ପ୍ରଦାନ କରିବାକୁ ଅଦାଲତ ଆଦେଶ ଦେଇଥିଲେ। କିନ୍ତୁ ଆଦେଶକୁ କାର୍ଯ୍ୟକାରୀ କରିବାରେ ପୋଲିସ ପ୍ରଶାସନ ଯଥେଷ୍ଟ ବିଳମ୍ବ କରିଥିଲା। ଯେଉଁପାଇଁ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।