Categories: ଜାତୀୟ

ଶେଖ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମମତା ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ

କୋଲକତା,୬।୩: ଟିଏମସି ନେତା ଶାଜହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି। ତେବେ ମଙ୍ଗଳବାର ହାଇକୋର୍ଟ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୋଲିସକୁ କହିଥିଲେ। କିନ୍ତୁ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରଥିଲେ। ଏନେଇ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଏହା ଉପରେ ରାୟ ଶୁଣାଇ ଶାହଜାହାଁଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଜାନୁଆରୀ ୫ରେ ଇଡି ଅଧିକାରୀମାନେ ଚଢ଼ାଉ କରିବାକୁ ଯାଇଥିବାବେଳେ ଶାଜହାନଙ୍କ ସମର୍ଥକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏହା ପରଠାରୁ ଶାଜହାନ ଫେରାର ହୋଇଯାଇଥିଲେ। ୫୫ ଦିନ ପରେ ସ୍ବତନ୍ତ୍ର ପୋଲିସ ଟିମ୍‌ ତାଙ୍କୁ ଗିରଫ କରିବା ପରେ ଟିଏମ୍‌ସି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରିଛି।

Share