Categories: ଜାତୀୟ

ହ୍ବାଟ୍ସଆପ୍‌, ଇମେଲ୍‌, ଫାକ୍ସରେ ଜାରି ହେବ ସମନ

ନୂଆଦିଲ୍ଲୀ,୧୧ା୭(ଆଇଏଏନ୍‌ଏସ୍‌): ସମସ୍ତ ଆଇନଗତ ମାମଲାର ସମନ ଓ ନୋଟିସ ହ୍ବାଟ୍ସଆପ୍‌, ଇମେଲ୍‌ ଏବଂ ଫାକ୍ସ ମାଧ୍ୟମରେ ପଠାଯାଇପାରିବ। ପ୍ରଥମ ଥର ଲାଗି ସୁପ୍ରିମକୋର୍ଟ ଶୁକ୍ରବାର ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି। ନୋଟିସ୍‌, ସମନ ଆଦି ପଠାଇବା ପାଇଁ ପୋଷ୍ଟ ଅଫିସ୍‌ ଦୌଡ଼ିବା ସମ୍ଭବ ନୁହେଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅନୁଭବ କରିଛନ୍ତି। ଖଣ୍ଡପୀଠରେ ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଆର୍‌. ସୁଭାଷ ରେଡ୍ଡୀ ରହିଥିଲେ। ଇ-ମେଲ୍‌ରେ କିମ୍ବା ତ୍ୱରିତ୍‌ ମେସେଜ ଆପ୍ଲିକେଶନ୍‌ ହ୍ବାଟ୍ସଆପ୍‌ ଓ ଅନ୍ୟାନ୍ୟ ଫୋନ୍‌ ମେସେଞ୍ଜର ସେବା ଜରିଆରେ ନୋଟିସ ଇସ୍ୟୁ ହେବା ଦିନ ପକ୍ଷଙ୍କ ପାଖରେ ପହଞ୍ଚବା ଆବଶ୍ୟକ। ପକ୍ଷଙ୍କୁ ବୈଧ ସେବା ଯୋଗାଇଦେବାରେ ସବୁ ପଦ୍ଧତିକୁ ଆପଣାଯାଇପାରିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଦୁଇଟି ସବୁଜ ରଙ୍ଗର ଟିକ୍‌ ଚିହ୍ନରୁ ନୋଟିସ ପାଇବାକୁ ଥିବା ବ୍ୟକ୍ତି ଏହାକୁ ଦେଖିଥିବା ଜଣାପଡିଯିବ।
ପ୍ରଭାବୀ ସେବା ମାଧ୍ୟମ ରୂପେ ନିର୍ଦ୍ଦିଷ୍ଟ ଭାବେ ହ୍ବାଟ୍ସଆପ୍‌ ନାଁ ଉଲ୍ଲେଖ କରିବା ପାଇଁ ଆଟର୍ନି ଜେନେରାଲ ଅନୁରୋଧ କରିଥିଲେ ହେଁ ଖଣ୍ଡପୀଠ ମନା କରିଦେଇଥିଲେ। କୌଣସି ନିର୍ଦ୍ଦିଷ୍ଟ ଆପ୍‌ ନାଁ ଉଲ୍ଲେଖ କରିବା ଠିକ୍‌ ନୁହେଁ ବୋଲି ଅଦାଲତ କହିଥିଲେ। ସେହିପରି କରୋନା ମହାମାରୀ ଜନିତ ଲକ୍‌ଡାଉନ ପାଇଁ ଚେକ୍‌ର ବୈଧତା ସମୟ ବଢ଼ାଇବାକୁ ସୁପ୍ରିମକୋର୍ଟ ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)କୁ ଅନୁମତି ପ୍ରଦାନ କରିଛନ୍ତି।

Share