
ସମ୍ବଲପୁର,୪।୪(ପ୍ରମୋଦ ବହିଦାର): ଠିକା ସଂସ୍ଥାର ବକେୟା ବିଲ ଅର୍ଥ ପଇଠ ନ କରିବାରୁ ସମ୍ବଲପୁର ଜଳସମ୍ପଦ ବିଭାଗର ୩ଟି କାର୍ଯ୍ୟାଳୟର ଆସବାବପତ୍ର ବ୍ୟାଜାପ୍ତ ପାଇଁ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରି ନାହିଁ। ଫଳରେ କୋର୍ଟ କର୍ମଚାରୀ ଖାଲି ହାତରେ ପହଞ୍ଚିଛନ୍ତି। ବୁର୍ଲାସ୍ଥିତ ଅପର ମହାନଦୀ ବେସିନ ପ୍ରବନ୍ଧକ ତଥା ମୁଖ୍ୟଯନ୍ତ୍ରୀ, ହୀରାକୁଦ ଡ୍ୟାମ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଓ ସମ୍ବଲପୁର ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଆଦି ୩ କାର୍ଯ୍ୟଳୟର ସମସ୍ତ ଅସ୍ଥାବର ଓ ଅସବାବପତ୍ର ବ୍ୟାଜାପ୍ତି ପାଇଁ ସମ୍ବଲପୁର ସିନିୟର ସିଭିଲ ଜଜ କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଉକ୍ତ ନିର୍ଦ୍ଦେଶ ଅନୁଯାୟୀ କୋର୍ଟଙ୍କ ପ୍ରୋସେସର ସର୍ଭର(କର୍ମଚାରୀ)ମାନେ ଠିକାସଂସ୍ଥାର ଓକିଲଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ଅସବାବପତ୍ର ବ୍ୟାଜାପ୍ତି ନିର୍ଦ୍ଦେଶାନାମା ପରିଦର୍ଶନ କରିଥିଲେ। ମାତ୍ର ଅପର ମହାନଦୀ ବେସିନ ନାମରେ କୋର୍ଟଙ୍କ ନିର୍ଦ୍ଦେଶ ରହିଥିବା ବେଳେ ବର୍ତ୍ତମାନ ଉକ୍ତ ସଂସ୍ଥାର ନାମ ପରିବର୍ତ୍ତନ ହୋଇ କେବଳ ମହାନଦୀ ବେସିନ ହୋଇଯାଇଛି। ତେଣୁ କୋର୍ଟ କର୍ମଚାରୀ ଓ ଓକିଲ ଉକ୍ତ ୩ କାର୍ଯ୍ୟାଳୟର କୌଣସି ଆସବାବପତ୍ର ବ୍ୟାଜାପ୍ତ କରି ନ ପାରି ଖାଲି ହାତରେ ଫେରି ଆସିଥିଲେ।
ମିଳିଥିବା ସୂଚନା ମୁତାବକ, ଗତ ୨୦୦୦ରେ ସମ୍ବଲପୁର ରିଂ ରୋଡର କାମ କରିଥିବା ଓରିଏଣ୍ଟ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ ନାମକ ଠିକା ସଂସ୍ଥାକୁ ଏହିବାବଦରେ ୫୨ ଲକ୍ଷ ଟଙ୍କାର ବକେୟା ଅର୍ଥ ମିଳି ନ ଥିଲା। ଫଳରେ ସମ୍ପୃକ୍ତ ଠିକାସଂସ୍ଥା ଏନେଇ ୨୦୦୯ରେ ସମ୍ବଲପୁର ସିନିୟର ସିଭିଲ ଜଜ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଏହି ସମୟରେ ବକେୟା ଥିବା ଅର୍ଥ ସୁଧ ମୂଳ ମିଶି ୧କୋଟି ୩୬ ଲକ୍ଷ ଟଙ୍କା ହୋଇଥିଲା। ତେବେ ଟଙ୍କା ପଇଠ ନ ହେବାରୁ ବାର୍ଷିକ ୬ ପ୍ରତିଶତ ସୁଧ ହାରରେ ବକେୟା ଟଙ୍କା ପଇଠ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ହେଲେ ବକେୟା ଅର୍ଥ ମିଳି ନ ଥିଲା । ବାରମ୍ବାର କୋର୍ଟ ନୋଟିସ ସତ୍ତ୍ବେ ଜଳସମ୍ପଦ ବିଭାଗ ପକ୍ଷରୁ ବକେୟା ଅର୍ଥ ପଇଠ ନ ହେବାରୁ ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଗତ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ବକେୟା ଥିବା ଅର୍ଥ ସୁଧ ମୂଳ ମିଶି ୧କୋଟି ୮୮ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଅପରପକ୍ଷେ ବାରମ୍ବାର ନୋଟିସ ସତ୍ତ୍ବେ ବକେୟା ଅର୍ଥ ପଇଠ ନ ଦେବାରୁ ଜଳସମ୍ପଦ ବିଭାଗ ସମ୍ବଲପୁରର ୩ଟି କାର୍ଯ୍ୟାଳୟର ସମସ୍ତ ପ୍ରକାର ଅସ୍ଥାବର ସମ୍ପତ୍ତି ଓ ଆସବାବପତ୍ରକୁ ଅଦାଲତ ପକ୍ଷରୁ ବ୍ୟାଜାପ୍ତ କରିବାକୁ ଅଦାଲତ ପକ୍ଷରୁ ପଦକ୍ଷେପ ନିଆ ଯାଇଥିଲା। ଯାହା କାର୍ଯ୍ୟକାରୀ ହୋଇ ପାରି ନ ଥିବା ସୂଚନା ମିଳିଛି।