ପିଲାଙ୍କ ଉପରେ ହେବ କୋଭାକ୍ସିନ୍‌ ଟିକା ପରୀକ୍ଷା: ମିଳିଲା ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ,୧୩।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହୋଇଛି। କରୋନା ଲଢ଼େଇ ବିରୋଧରେ ଟିକା ଏକମାତ୍ର ଅସ୍ତ୍ର ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ତେବେ ଭାରତରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ଏପରିସ୍ଥଳେ ୨ ବର୍ଷ ପିଲାଙ୍କଠାରୁ ଆରମ୍ଭ କରି ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ କିଶୋରଙ୍କ ପାଇଁ କରୋନା ଟିକାର ଟ୍ରାଏଲ ପାଇଁ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌କୁ ଅନୁମତି ମିଳିଛି। ଏନେଇ ଗୁରୁବାର ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଏସମ୍ପର୍କିତ ଆବେଦନକୁ ମଞ୍ଜୁରୀ ମିଳିଛି। ଟିକାର କ୍ଲିନିକାଲ ଟ୍ରାଏଲ୍‌ ୫୨୫ ଜଣ ଭଲ୍ୟୁଣ୍ଟରଙ୍କଠାରେ କରାଯିବ। କରୋନାର ତୃତୀୟ ଲହର ଛୋଟ ପିଲାଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେବା ପରେ ଭାରତ ବାୟୋଟେକ୍‌ ପକ୍ଷରୁ ୨ ବର୍ଷରୁ ୧୮ ପର୍ଯ୍ୟନ୍ତଙ୍କ ପାଇଁ ଟିକା ପ୍ରସ୍ତୁତି ଆରମ୍ଭ କରିଥିଲା। କରୋନା ଟିକା ପାଇଁ ଗଠନ କରାଯାଇଥିବା ସବଜେକ୍ଟ୍‌ ଏକ୍ସପର୍ଟ କମିଟିକୁ ମଙ୍ଗଳବାର ଏନେଇ ସୁପାରିଶ୍‌ କରାଯାଇଥିଲା। ଏହାପରେ ଡିସିଜିଆଇ ପକ୍ଷରୁ ଏଥିଲାଗି ଅନୁମତି ମିଳିଛି। ଟିକାର ଦୁଇ ଡୋଜ୍‌ ମଧ୍ୟରେ ୨୮ ଦିନର ଅନ୍ତର ରଖାଯିବ। ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଏହାକୁ ଛୋଟ ପିଲାଙ୍କୁ ଦିଆଯିବ। ଦିଲ୍ଲୀ ଏମ୍ସ ପାଟନା ଏମ୍ସ୍‌ ଏବଂ ନାଗପୁର ଏମ୍‌ଆଇଏମଏସ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ହେବ।

Share