କୋଭାକ୍ସିନ୍‌କୁ ଅଷ୍ଟ୍ରେଲିଆରେ ମଞ୍ଜୁରୀ…

ସିଡ୍‌ନୀ/ନୂଆଦିଲ୍ଲୀ,୧।୧୧: ଭାରତରେ ତିଆରି ହୋଇଥିବା କରୋନା ଟିକା କୋଭାକ୍ସିନ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦନ ମିଳିପାରିନାହିଁ। କିନ୍ତୁ ଅଷ୍ଟ୍ରେଲିଆ ସରକାର ଏହାକୁ ଅନୁମୋଦିତ ଟିକା ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଯାତ୍ରୀଙ୍କ ଟିକାକରଣ ସ୍ଥିତି ପାଇଁ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ଅଷ୍ଟ୍ରେଲିଆ ଅନୁମୋଦନ କରିଛି। ଅଷ୍ଟ୍ରେଲିଆରେ ଅବସ୍ଥାପିିତ ଥିବା ଭାରତର ହାଇ କମିଶନର ବରୀ ଓ ଫାରେଲ ଏହି ସୂଚନା ଦେଇଛନ୍ତି।

କୋଭାକ୍ସିନ ଅଷ୍ଟ୍ରେଲିଆ ସରକାରଙ୍କ ଠାରୁ ଏହି ସବୁଜ ସଙ୍କେତ ପାଇଛି। ଅପରପକ୍ଷରେ ଭାରତର ସ୍ବଦେଶୀ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଅନୁମୋଦନ ପାଇଁ ବହୁ ସପ୍ତାହ ଅପେକ୍ଷା କରିବାକୁ ପଡ଼ିଛି। ଏବେ ଟିକାର ଅନୁମୋଦନ ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଅଧିକ ସୂଚନା ଲୋଡ଼ାଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ଆଉ କିଛି ସୂଚନାର ଆବଶ୍ୟକତା ରହିଛି। ଉପଯୁକ୍ତ ତଥ୍ୟ ଆଧାରରେ ଟିକା ବ୍ୟବହାର ପାଇଁ ଅନୁମୋଦନ ଦିଆଯାଇପାରିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି। ଏହାପୂର୍ବରୁ ୨୬ ଅକ୍ଟୋବରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏକ ବୈଠକ ହୋଇଥିଲା, ଯେଉଁଥିରେ ଟିକା ଅନୁମୋଦନ ହେବାର ଆଶା କରାଯାଉଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ।

ଏବେ ପରବର୍ତ୍ତୀ ବୈଠକ ୩ ନଭେମ୍ବରରେ ହେବାକୁ ଯାଉଛି। ଏହି ବୈଠକରେ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ଅନୁମୋଦନ ମିଳିବାର ଆଶା କରାଯାଉଛି।

ଚଳିତ ବର୍ଷ ୧୯ ଏପ୍ରିଲରେ, ଭାରତ ବାୟୋଟେକ ଦ୍ୱାରା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ଏକ ଆବେଦନ କରାଯାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ସହିତ ମିଳିତ ଭାବେ ଏହି ଟିକା ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

କୋଭିଶିଲ୍ଡ ଟିକା ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ପୂର୍ବରୁ ଅନୁମୋଦନ ହୋଇସାରିଛି। ଏହା ବ୍ୟତୀତ ଅଷ୍ଟ୍ରେଲିଆ ସରକାର ଫାଇଜର, ମୋଡର୍ନା, ଜନସନ ଆଣ୍ଡ ଜନସନ, ସିନୋଭାକ, ସିନୋଫାର୍ମ ଟିକା ମଧ୍ୟ ଅନୁମୋଦନ କରିଛନ୍ତି। ଏପର୍ଯ୍ୟନ୍ତ ଭାରତରେ ୯୦ ପ୍ରତିଶତ କୋଭିଶିଲ୍ଡ ଟିକା ଲୋକଙ୍କୁ ପ୍ରଦାନ କରାଯାଇଛି।

Share