ଭୁବନେଶ୍ୱରରେ କୋଭାକ୍ସିନ, ବାକିି କୋଭିଶିଲ୍ଡ

ଭୁବନେଶ୍ୱର, ୧୪।୧(ବ୍ୟୁରୋ) :ଓଡ଼ିଶାକୁ ଦୁଇ ପ୍ରକାର କରୋନା ଟିକା ଆସିଛି। ‘କୋଭିଶିଲ୍ଡ’ ଟିକାର ୪ଲକ୍ଷ ୮ହଜାର ଡୋଜ୍‌ ଓ ‘କୋଭାକ୍ସିନ’ର ୨୦ହଜାର ଡୋଜ୍‌ ଆସିଛି। ଆସନ୍ତା ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବାକୁ ଥିବାବେଳେ କାହାକୁ କେଉଁ ଟିକା ଦିଆଯିବ ଏବଂ କେଉଁ ଜିଲାରୁ କେତେଜଣ ପ୍ରଥମ ପର୍ଯ୍ୟାୟରେ ଟିକା ନେବେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ, ପ୍ରଥମ ପର୍ଯ୍ୟାୟରେ ଆସିଥିବା ଏସବୁ ଟିକା ୧,୯୨,୫୫୫ଜଣ ନେଇପାରିବେ। ସେଥିମଧ୍ୟରୁ ଭୁବନେଶ୍ବରରେ ୯,୦୦୦ ଓ ଅନ୍ୟ ଅଞ୍ଚଳର ୧,୮୩,୫୫୫ଜଣ ଟିକା ନେବେ। ତେବେ କେବଳ ଭୁବନେଶ୍ୱରବାସୀଙ୍କୁ ‘କୋଭାକ୍ସିନ’ ଟିକା ଦିଆଯିବାକୁ ଥିବାବେଳେ ରାଜ୍ୟର ଅନ୍ୟ ସବୁଠି ‘କୋଭିଶିଲ୍ଡ’ ଟିକା ଦିଆଯିବ। ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦିଆଯିବାକୁ ନେଇ ଭୟ ଓ ଅସନ୍ତୋଷ ଦେଖାଦେଇଛି। ଏହାକୁ ନେଇ ବିବାଦ ରହିଥିବାରୁ ଆଶଙ୍କା ପ୍ରକାଶ ପାଇଛି। ରାଜଧାନୀର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ସରକାରୀ ବ୍ୟବସ୍ଥା ଅନୁଯାୟୀ ଆମେ ଏହି ଟିକା ନେବାକୁ ବାଧ୍ୟ। ତେଣୁ ଆମ ସୁରକ୍ଷା ଭଗବାନଙ୍କ ହାତରେ ବୋଲି ସେ କହିଛନ୍ତି।
କଟକ ଜିଲାରେ ସର୍ବାଧିକ ୧୭,୧୯୦ଜଣ ‘କୋଭିଶିଲ୍ଡ’ ଟିକା ନେବାକୁ ଥିବାବେଳେ ଗଞ୍ଜାମରେ ୧୫,୧୨୦, ମୟୂରଭଞ୍ଜ ୧୦,୭୧୦, ସୁନ୍ଦରଗଡ଼ ୯,୯୪୫, ବାଲେଶ୍ବର ୭,୫୬୦, କୋରାପୁଟ ୭,୪୭୦, କେନ୍ଦୁଝର ୭,୨୯୦, ବଲାଙ୍ଗୀର ୭,୨୦୦, ଯାଜପୁର ୬,୮୮୫, ସମ୍ବଲପୁର ୬,୭୫୦, ବରଗଡ଼ ୬,୫୨୫, ନବରଙ୍ଗପୁର ୬,୩୦୦, ପୁରୀ ୬,୩୦୦, କଳାହାଣ୍ଡି ୬,୧୨୦, ଖୋର୍ଦ୍ଧା ୫,୫୩୫, କେନ୍ଦ୍ରାପଡ଼ା ୪,୯୯୫, ଭଦ୍ରକ ୪,୯୯୫, ରାୟଗଡ଼ା ୪,୮୬୦, ଜଗତ୍‌ସିଂହପୁର ୪,୫୯୦, କନ୍ଧମାଳ ୪,୫୯୦, ଅନୁଗୋଳ ୪,୫୯୦, ଢେଙ୍କାନାଳ ୪,୫୦୦, ଗଜପତି ୪,୦୫୦, ନୟାଗଡ଼ ୩,୬୦୦, ସୁବର୍ଣ୍ଣପୁର ୩,୨୮୫, ନୂଆପଡ଼ା ୩,୨୪୦, ମାଲକାନଗିରି ୩,୨୪୦, ଝାରସୁଗୁଡ଼ା ୨,୮୮୦, ବୌଦ୍ଧ ୧,୭୫୫ ଓ ଦେବଗଡ଼ରୁ ୧,୪୮୫ ଜଣ ଏହି ଟିକା ନେବେ। ରାଜ୍ୟ ଭାକ୍ସିନ ଇନ୍‌ଚାର୍ଜ ବିଜୟ ପାଣିଗ୍ରାହୀଙ୍କ କହିବା ମୁତାବକ, ଓଡ଼ିଶାକୁ ବର୍ତ୍ତମାନ ମୋଟ୍‌ ୪,୨୮,୦୦୦ ଟିକା ଆସିଛି। ପ୍ରଥମ ଡୋଜ୍‌ରେ ୫୦% ଟିକା ବ୍ୟବହାର କରାଯିବ। ଏହାର ୨୮ଦିନ ପରେ ଦ୍ବିତୀୟ ଡୋଜ୍‌ ଦିଆଯିବ।

Share