୨ରୁ ୧୮ ବର୍ଷଙ୍କ ପାଇଁ କୋଭାକ୍ସିନ ଟ୍ରାଏଲ

ନୂଆଦିଲ୍ଲୀ, ୧୯ା୫: ଆଗାମୀ ୧୦ରୁ ୧୨ ଦିନ ମଧ୍ୟରେ ଦେଶରେ ୨ରୁ ୧୮ ବର୍ଷ ବୟସ ବର୍ଗଙ୍କ ପାଇଁ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକା ଟ୍ରାଏଲ ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ(ସ୍ବାସ୍ଥ୍ୟ)ର ସଦସ୍ୟ ଭି. କେ. ପଲ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି। ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଗତ ସପ୍ତାହରେ କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲକୁ ମଞ୍ଜୁରୀ ପ୍ରଦାନ କରିଥିଲା।
ଡିଆର୍‌ଡିଓ ପକ୍ଷରୁ ପ୍ରସ୍ତୁତ ଔଷଧ ୨-ଡିଜିର ବ୍ୟବହାର ନେଇ ସେ କହିଛନ୍ତି, ଚିକିତ୍ସା ପ୍ରୋଟୋକଲ ଅନୁଯାୟୀ ଏହାର ସମୀକ୍ଷା କରାଯିବ। କୋଭିଡ-୧୯ ରୋଗୀଙ୍କ ଉପଚାର ଲାଗି ଏହା ଉପଯୋଗୀ ହୋଇପାରିବ। ଏହି ଅବସରରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଲଭ୍‌ ଅଗ୍ରଓ୍ବାଲ କହିଛନ୍ତି, ଭାରତର ମୋଟ ଜନସଂଖ୍ୟାର ୧.୮ ପ୍ରତିଶତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାର ଅର୍ଥ ପାଖାପାଖି ୯୮ ପ୍ରତିଶତ ସଂକ୍ରମିତ ହେବାର ଆଶଙ୍କା ରହିଛି।

Share