ବିଦେଶରେ ପ୍ରସ୍ତୁତ ହେବ କୋଭାକ୍ସିନ

ନୂଆଦିଲ୍ଲୀ, ୨୨।୫: ଭାରତରେ କୋଭିଡ୍‌ ଭାକ୍ସିନ ସଙ୍କଟ ଏଡ଼ାଇବା ପାଇଁ କେନ୍ଦ୍ର ସରକାର ବିଦେଶରେ ଟିକା ଉତ୍ପାଦନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ଭାରତ ବାହାରେ ଏହାର ପ୍ରଡକ୍ସନ ସେଣ୍ଟର ପ୍ରତିଷ୍ଠା କରିବା ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଏହି କ୍ରମରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ନିକଟରେ ଉକ୍ତ ପ୍ରସଙ୍ଗ ଉପସ୍ଥାପନ କରାଯିବ। ସେହିପରି ମଡର୍ନା, ଜନ୍‌ସନ ଆଣ୍ଡ ଜନସନ୍‌ ଓ ଅନ୍ୟ ଟିକା ନିର୍ମାତାମାନଙ୍କୁ ଭାରତରେ ତୃତୀୟ ପକ୍ଷ ଉତ୍ପାଦନକାରୀଙ୍କୁ ପେଟେଣ୍ଟ ଆକ୍ଟ, ୧୯୭୦ ଅନୁଯାୟୀ ଲାଇସେନ୍ସ ଓ ଟିକା ଜ୍ଞାନକୌଶଳ ପ୍ରଦାନ ଲାଗି ଅନୁରୋଧ କରାଯିବ। ମେ’ ୧୮ରେ ହୋଇଥିତ୍ବା ଆନ୍ତଃମନ୍ତ୍ରଣାଳୟ ବୈଠକରେ ଏ ବିଷୟରେ ଆଲୋଚନା ହୋଇଛି। କୋଭିଶିଲ୍ଡ ନିର୍ମାତା ଆଷ୍ଟ୍ରାଜେନିକା ସହ ଆଲୋଚନା କରିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟକୁ କୁହାଯାଇଛି। ମନ୍ତ୍ରଣାଳୟ ଏବଂ ବାୟୋଟେକ୍‌ନୋଲୋଜି ବିଭାଗ କଞ୍ଚାମାଲ କେଉଁଠୁ ଅଣାଯିବ ଏବଂ ତାହା କିଭଳି ଭାବେ ଯୋଗାଇ ଦିଆଯିବ, ସେନେଇ ଏକ ରୋଡ୍‌ମ୍ୟାପ ପ୍ରସ୍ତୁତ କରିବେ। ଟିକା ଅଭାବକୁ ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ କରିଆସୁଥିବାବେଳେ କେନ୍ଦ୍ର ସରକାର କୋଭାକ୍ସିନ ଉତ୍ପାଦନ ବଢ଼ାଇବା ପାଇଁ ପଦକ୍ଷେପ ନେଉଛନ୍ତି।

Share