ଈପ୍ସିତା ମହାନ୍ତି
ସାମାଜିକ ସୁରକ୍ଷା ନାମରେ ସାଧାରଣ ଜନତାଙ୍କ ସମେତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାରୀ ସହାୟତା ଓ ସୁବିଧା ପ୍ରଦାନ ସର୍ବଦା ସ୍ବାଗତଯୋଗ୍ୟ। ଏହା ଏକ ଜନମଙ୍ଗଳକାରୀ ସରକାରର ପ୍ରଧାନ କର୍ତ୍ତବ୍ୟ। କିନ୍ତୁ କ୍ଷମତାରେ ରହିବା ପାଇଁ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ଲୋକଙ୍କୁ ମାଗଣା ସୁବିଧା ଯୋଗାଇଦେବା, ଅର୍ଥ ଓ ଉପହାର ବାଣ୍ଟି ଭୋଟ କିଣିବା ଆଦି ରାଜନୈତିକ ଅଭ୍ୟାସ ଗଣତନ୍ତ୍ର ପାଇଁ କ୍ଷତିକାରକ। ଏସବୁ ମାଗଣା ଯୋଜନା ପାଇଁ ଆମ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାକୁ ବହୁ ମୂଲ୍ୟ ଦେବାକୁ ପଡ଼ିଥାଏ। ଏଭଳି ଘୋଷଣାର ସକାରାତ୍ମକ ବିକଳ୍ପ ରହିଛି । କିନ୍ତୁ ସେଗୁଡ଼ିକ ଅତି ଲୋଭନୀୟ ତଥା ନିଜ ସପକ୍ଷରେ ଭୋଟ ଗୋଟାଇବାରେ ସକ୍ଷମ ହେଉ ନ ଥିବାରୁ ରାଜନୈତିକ ଦଳଗୁଡ଼ିକ ତାହା ଗ୍ରହଣ କରନ୍ତି ନାହିଁ। ବାସ୍ତବିକ ମାଗଣା ଯୋଜନାରୁ କ୍ଷାନ୍ତ ରହିବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଯତ୍ନବାନ ରହିବାକୁ ପଡ଼ିବ।
ନିକଟରେ ପଞ୍ଜାବ ସମେତ ୫ଟି ରାଜ୍ୟରେ ନବଗଠିତ ସରକାର ଦାୟିତ୍ୱ ନେଇଛନ୍ତି। ନିର୍ବାଚନ ବେଳେ ସମସ୍ତ ବଡ଼ ଦଳ ଏସବୁ ରାଜ୍ୟବାସୀଙ୍କୁ ମାଗଣା ଉପହାରର ପ୍ରତିଶ୍ରୁତିରେ ପୋତିପକାଇଥିଲେ। ଯେଉଁମାନେ ହାରିଛନ୍ତି ସେମାନେ ଏହି ଭାରରୁ ଏବେ ବର୍ତ୍ତିଯାଇଛନ୍ତି କିନ୍ତୁ ବିଜେତା ଦଳଙ୍କୁ ନିଜ ମାଗଣା ପ୍ରତିଶ୍ରୁତିଗୁଡ଼ିକୁ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପ୍ରଭାବଶାଳୀ ଢଙ୍ଗରେ ପୂରଣ କରିବାକୁ ପଡ଼ିବ। ନିଜ ବିଫଳତାକୁ ଲୁଚେଇବା, ନାଗରିକଙ୍କୁ ପ୍ରଲୋଭିତ କରିବା ଓ ସାମାଜିକ ସୁରକ୍ଷା ନାମରେ ଅର୍ଥ ଛାଡ଼ ଅବା ଅର୍ଥ ବଣ୍ଟନ କରିବା ଭଳି ଅନେକ ଯୋଜନା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପୂର୍ବରୁ ହିଁ ପ୍ରଚଳନ କରିଆସିଛନ୍ତି। ଏହା ସହିତ ବର୍ତ୍ତମାନ ଯଦି ପୂର୍ଣ୍ଣ ପ୍ରସ୍ତୁତି ସହକାରେ ବିଭିନ୍ନ ମାଗଣା ଯୋଜନାକୁ ଆସନ୍ତା ବର୍ଷର ମଧ୍ୟଭାଗ ସୁଦ୍ଧା ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇ ନ ପାରିବେ, ତେବେ ସାଧାରଣ ନିିର୍ବାଚନ-୨୦୨୪ରେ ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ଘୋର ବିପର୍ଯ୍ୟୟର ସମ୍ମୁଖୀନ ହେବେ। ମାଗଣା ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ଦେଇ ଭୋଟ ଗୋଟାଇବା ସମ୍ପ୍ରତି ସର୍ବଭାରତୀୟ ତଥା ସର୍ବଦଳୀୟ ରାଜନୈତିକ ଅଭ୍ୟାସର ମାନ୍ୟତା ହାସଲ କରିଛି। ଏ କ୍ଷେତ୍ରରେ ବିଫଳତାର ସବୁଠାରୁ ଅଧିକ ପ୍ରଭାବ କେନ୍ଦ୍ର ସରକାରଙ୍କ ଉପରେ ପଡ଼ିପାରେ। କାରଣ ଦେଶର ଅଧିକାଂଶ ରାଜ୍ୟର ଶାସନ ଡୋରି ବର୍ତ୍ତମାନ ଭାଜପା ହାତରେ। ସେ ଦୃଢ଼ ଭାବରେ ପ୍ରଚାର କରିଚାଲିଛି ଯେ ତାଙ୍କ ସରକାର ଯାହା କହନ୍ତି ତାହା କରନ୍ତି। ଏଭଳି ସ୍ଥିତିରେ ନିର୍ବାଚନ ସମୟରେ ରାଜ୍ୟ ସରକାର ଦେଇଥିବା ମାଗଣା ସୁବିଧାର ବିଭିନ୍ନ ପ୍ରତିଶ୍ରୁତି ଯଦି ନିର୍ବାଚନୀ ଧୂଆଁବାଣ ବୋଲି ପ୍ରମାଣସିଦ୍ଧ ହୁଏ, ତେବେ ତାହା ତାଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ। ଥରେ ଲୋକଙ୍କ ବିଶ୍ୱାସ ହରାଇଲେ ମୋଦିଙ୍କ ଯାଦୁ ଉଭେଇଯିବ।
ସରକାରଙ୍କ ଉପରେ କୋଟି କୋଟି ଟଙ୍କାର ଋଣ ଭାର ରହିଥିବା ସତ୍ତ୍ବେ ଦଳଗୁଡ଼ିକ ନିର୍ବାଚନ ବର୍ଷ ପୂର୍ବରୁ ଉଚିତ ଅନୁଚିତ ବିନା ସାମାଜିକ, ଅର୍ଥନୈତିକ ପ୍ରଭାବକୁ ଖାତିର ନ କରି ନିଜ ମାଗଣା ସୁବିଧା ଓ ଉପହାର ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି। ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଭାଜପାକୁ ୪ଟି ଓ ଆମ୍ ଆଦ୍ମୀ ପାର୍ଟି(ଆପ୍)କୁ ଗୋଟିଏ ରାଜ୍ୟର ଶାସନ କ୍ଷମତା ମିଳିଛି। ଅନ୍ୟ ରାଜନୈତିକ ଦଳଙ୍କ ପରି ଏମାନେ ମଧ୍ୟ ମାଗଣା ପ୍ରତିଶ୍ରୁତି ଦେବାରେ ଦ୍ୱିଧା ପ୍ରକାଶ କରିନାହାନ୍ତି। ପ୍ରତିଶ୍ରୁତି ମୁତାବକ ଭାଜପା ମଣିପୁର ସମେତ ସମସ୍ତ ରାଜ୍ୟରେ ଦୁଇଟି ଲେଖାଏଁ ମାଗଣା ସିଲିଣ୍ଡର ଏବଂ ଦ୍ବାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରୀଙ୍କୁ ସ୍କୁଟି ଦେବାକୁ ଯାଉଛି। ଗୋଆରେ ତ ସେ ତିନୋଟି ମାଗଣା ସିଲିଣ୍ଡର ଦେବ। ମଣିପୁରର ଉଦ୍ୟୋଗୀ ଯୁବକମାନଙ୍କୁ ବିନା ସୁଧରେ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବ। ଉତ୍ତରାଖଣ୍ଡର ଭାଜପା ସରକାର ସମସ୍ତଙ୍କୁ ମାଗଣାରେ ୧୦୦ୟୁନିଟ୍ ବିଦ୍ୟୁତ୍ ଏବଂ ୨୦୦ ୟୁନିଟ୍ ବିଦ୍ୟୁତ୍ ବିଲ୍ ଉପରେ ୫୦ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି ନେଇଛି। ମାଗଣା ବଣ୍ଟନ ଯୋଜନା ପାଇଁ ହିଁ ଏହି ରାଜ୍ୟ ଉପରେ ଆଜି ୬୮ହଜାର କୋଟି ଟଙ୍କାର ଋଣଭାର; ଯେଉଁଥିପାଇଁ ବର୍ଷେ ହେଲାଣି ସଡ଼କପଥ କର୍ମଚାରୀଙ୍କ ଦରମା ପ୍ରଦାନରେ ଅନିୟମିତତା ଲାଗିରହିଛି।
ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୧୫କୋଟିରୁ ଊଦ୍ଧର୍ବ ଲୋକଙ୍କୁ ଆସନ୍ତା ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣାରେ ରାଶନ ଯୋଗାଇଦେବାକୁ ଶାସନଭାର ଗ୍ରହଣ କରିବା ପୂର୍ବରୁ ହିଁ ଉତ୍ତରପ୍ରଦେଶ ସରକାର ନିଷ୍ପତ୍ତି ନେଇସାରିଛନ୍ତି। ଏହା ବ୍ୟତୀତ ହୋଲି ଓ ଦୀପାବଳିରେ ଦୁଇଟି ଲେଖାଏଁ ମାଗଣା ସିଲିଣ୍ଡର, ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍, କ୍ଷୁଦ୍ରଚାଷୀଙ୍କୁ ମାଗଣା ସାର, ଛାତ୍ରୀଙ୍କୁ ମାଗଣା ସ୍କୁଟି, ବୟସ୍କ ମହିଳାଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ମାଗଣା ଯାତାୟାତର ସୁବିଧା ଯୋଗାଇଦେବେ। ୬ଲକ୍ଷ କୋଟିରୁ ଊଦ୍ଧର୍ବ ଋଣ ଭାର ଥିବା ଉତ୍ତରପ୍ରଦେଶର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡ ଉପରେ ଏବେ ୨୨,୪୪୨ ଟଙ୍କାର ବୋଝ। ଏହା ସତ୍ତ୍ୱେ ସରକାର ୧୨୦୦କୋଟି ଟଙ୍କାର ମାଗଣା ଖାଦ୍ୟ ଯୋଜନା ଜାରି ରଖିବେ। ଉତ୍ତରପ୍ରଦେଶ ସରକାର ଚାଷୀଙ୍କୁ ଅଧା ଦରରେ ବିଦ୍ୟୁତ୍ ଦେଲେ ହଜାରେ କୋଟି ଟଙ୍କାର କ୍ଷତି ସହିବେ। ଏଥିସହ ସରକାରଙ୍କୁ ଟାବ୍ଲେଟ, ସ୍କୁଟି, ସ୍ମାର୍ଟଫୋନ୍, ଦୁଇଟି ସିଲିଣ୍ଡର, ସାର ଇତ୍ୟାଦି ବଣ୍ଟନ କରିବାକୁ ପଡ଼ିବ। ଏଥିପାଇଁ ୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏ ସମସ୍ତ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ ହେଉଥିବା ୪.୩୦ଲକ୍ଷ କୋଟିର ବଜେଟ ରାଜ୍ୟ ସରକାରଙ୍କ କର୍ତ୍ତୃତ୍ୱ ବାହାରର କଥା। ଆପ୍ ସରକାର ପଞ୍ଜାବରେ କେତେଜଣ ଚାଷୀଙ୍କୁ ମାଗଣାରେ ୩୦୦ ୟୁନିଟ୍ ବିଜୁଳି ଏବଂ ୧କୋଟିରୁ ଊଦ୍ଧର୍ବ ମହିଳାଙ୍କୁ ମାସିକ ୧ହଜାର ଟଙ୍କା ବଣ୍ଟନ କରିବେ। ରାଜ୍ୟର କୃଷକ ଏବଂ ମହିଳାମାନେ ମିଳିତ ଭାବେ ପଞ୍ଜାବ ଉପରେ ପ୍ରତିବର୍ଷ ପ୍ରାୟ ୨୨ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ଲଦିଦେବେ। ମଣିପୁର ଏବଂ ଗୋଆ ଭଳି ଛୋଟ ଛୋଟ ରାଜ୍ୟରେ ମଧ୍ୟ ଏକା ଅବସ୍ଥା।
ଅର୍ଥଶାସ୍ତ୍ରୀ ଓ ରାଜନୀତି ବିଶାରଦଙ୍କ ମତରେ ଏଭଳି ମାଗଣା ସରକାରୀ ଯୋଜନା ଭାରତୀୟ ରାଜନୀତି, ଗଣତନ୍ତ୍ର ଏବଂ ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ। ଲୋକଙ୍କୁ ମାଗଣାରେ ଅବା ରିହାତିରେ ବିଜୁଳି, ପାଣି, ଖାଦ୍ୟଶସ୍ୟ, ଅର୍ଥ ଆଦି ବିଭିନ୍ନ ସେବା ଯୋଗାଇଦେବା ହେତୁ ରାଜ୍ୟ ତଥା ଦେଶର ଯେଉଁ କ୍ଷତି ହେବ ତାହାର ଭରଣା ପାଇଁ ସରକାର ବାଧ୍ୟ ହୋଇ ପ୍ରାକୃତିକ ସମ୍ପଦର ଶୋଷଣ କରିବେ, ରାଜସ୍ବ ପାଇଁ ଜମିର ବ୍ୟବହାରିକ ନୀତିକୁ ପରିବର୍ତ୍ତନ କରିବେ, ଜଙ୍ଗଲ କାଟିବେ ଓ ଅନୁଚିତ ଖଣି ଖନନ କରିବେ। ଫଳସ୍ବରୂପ ଜଳ, ବାୟୁ, ଜଙ୍ଗଲ, ଜମି, ମୃତ୍ତିକା ଆଦି ବହୁମାତ୍ରାରେ ପ୍ରଭାବିତ ହେବ। ପ୍ରଦୂଷଣର ମାତ୍ରା ବଢ଼ି ଚାଲିବ। ଅର୍ଥାଭାବରୁ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଆଦି ମୌଳିକ ବ୍ୟବସ୍ଥା ଦୋହଲିଯିବ। ଏହା ବର୍ତ୍ତମାନ ସହ ଭବିଷ୍ୟତ ବଂଶଧରଙ୍କ ପାଇଁ ଗଭୀର କ୍ଷତ ସୃଷ୍ଟି କରିବ।
ଆୟତନରେ ଅପେକ୍ଷାକୃତ ଅତି କ୍ଷୁଦ୍ର ରାଷ୍ଟ୍ର ଭେନେଜୁଏଲା ନିଜ ଖଣିଜ ତୈଳର ଭଣ୍ଡାର ଯୋଗୁ ଆର୍ଥିକ ଦୃଷ୍ଟିରୁ ବିଶ୍ବର ଏକ ସ୍ବଚ୍ଛଳ ରାଷ୍ଟ୍ରର ମାନ୍ୟତା ପାଇଥିଲା। ସମୟକ୍ରମେ ଲୋକଙ୍କୁ ପ୍ରଲୋଭିତ କରିବାକୁ ଏଠାକାର ସରକାର ବିଭିନ୍ନ ଧରଣର ମାଗଣା ଯୋଜନା ପ୍ରଣୟନ କଲେ। ଲକ୍ଷ୍ୟ ଥିଲା ଲୋକଙ୍କୁ ପ୍ରଭାବିତ କରିବା ଓ ଭୋଟ ହାତେଇ କ୍ଷମତାରେ ରହିବା। ସେଥିପାଇଁ ଭେନେଜୁଏଲା ଆଜି ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପଡ଼ୋଶୀ ଶ୍ରୀଲଙ୍କା ଏବେ ଋଣର ଜାଲରେ। ଏଥିପାଇଁ ସ୍ବର୍ଣ୍ଣମୟୀ ଲଙ୍କା ଆଜି ଅତି ଦୟନୀୟ ସ୍ଥିତିରେ। ପରିଣାମ ସ୍ବରୂପ ଏମାନେ ଆଜି ଦାରିଦ୍ର୍ୟ ରାଇଜରେ।
ବୈପାରିଗୁଡ଼ା, କୋରାପୁଟ, ମୋ: ୬୩୭୦୬୭୯୪୦୫