ନୂଆଦିଲ୍ଲୀ,୨୮ ।୩: କରୋନା ମହାମାରୀ ଆରମ୍ଭରୁ ଟେଲିକମ ପ୍ରଦାନକାରୀ ସଂସ୍ଥା ଦ୍ୱାରା କୋଭିଡ-୧୯ ବିଷୟରେ ସଚେନତା ସୃଷ୍ଟି କରିବାକୁ କଲ୍ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ଘୋଷଣା ଶୀଘ୍ର ଇତିହାସ ହେବାକୁ ଯାଉଛି । କରୋନା ମହାମାରୀ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ପ୍ରାୟ ୨ ବର୍ଷ ପରେ ସରକାର ଏବେ କଲ ପୂର୍ବରୁ କୋଭିଡ-୧୯ ବାର୍ତ୍ତା ହଟାଇବାକୁ ଚିନ୍ତା କରୁଛନ୍ତି । ସରକାର ଏମିତି ଅନେକ ଆବେଦନ ଗ୍ରହଣ କରିଛନ୍ତି ଯେଉଁଥିରେ ଉଲ୍ଲେଖ କରାଯାଇଛି କି ବାର୍ତ୍ତା ଗୁଡିକ ସେମାନଙ୍କର ଉଦ୍ଦେଶ୍ୟ ପୂରଣ କରି ସାରିଛି ଏବଂ ଏବେ ଏହାଦ୍ୱାରା ଜରୁରୀକାଳୀନ ସମୟରେ ଗୁରୁତ୍ୱପୂର୍ଣ୍ଣ କଲ ଗୁଡିକ ବିଳମ୍ବ ହେଉଛି ।
ସରକାରୀ ସୂତରୁ ପ୍ରକାଶ ଯେ ଟେଲି ଯୋଗାଯୋଗ ବିଭାଗ(ଡିଓଟି)କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ପ୍ରି-କଲ ଘୋଷଣା ଓ କଲର ଟ୍ୟୁନ ହଟାଇବାକୁ ଅନୁରୋଧ କରିଛି । ସେଲୁଲାର ଅପରେଟର୍ସ ଆସୋସିଏଶନ ଅଫ ଇଣ୍ଡିଆ(ସିଓଏ)ରୁ ମୋବାଇଲ ଗ୍ରାହକଙ୍କଠାରୁ ପ୍ରାପ୍ତ ଆବେଦନଗୁଡିକ ଏଥିରେ ଉଲ୍ଲେଖ କରିଛି । ଦେଶରେ ମହାମାରୀର ସ୍ଥିତିରେ ଉନ୍ନତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବର୍ତ୍ତମାନ ଏହି ଅଡିଓ କ୍ଲିପକୁ ହଟାଇବାକୁ ଚିନ୍ତା କରୁଥିବା ବେଳେ ମହାମାରୀର ସୁରକ୍ଷା ବିଷୟରେ ଜନସଚେତନତା ସୃଷ୍ଟି କରିବାର ଅନ୍ୟାନ୍ୟ ପଦକ୍ଷେପ ଜାରି ରହିବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ।