ମଶା କାମୁଡ଼ିଲେ ହେବ କି କରୋନା!

ଓ୍ବାଶିଂଟନ,୧୮।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। ଏହାକୁ ନେଇ ପ୍ରାୟ ସମସ୍ତ ବିକାଶଶୀଳ ଦେଶରେ ଗବେଷଣା ଚାଲିଥିବା ବେଳେ ପ୍ରତିଦିନ କରୋନା ଭାଇରସକୁ ନେଇ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଅନ୍ୟପଟେ କରୋନା ସଂକ୍ରମଣକୁ ନେଇ ମଧ୍ୟ ସାଧାରଣ ଜନତାଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଏବେ ପ୍ରଶ୍ନ ଉଠିଛି ମଶା କାମୁଡିଲେ କରୋନା ଭାଇରସ ସଂକ୍ରମିତ ହେବ କି ନା। ହେଲେ ଗବେଷକମାନେ କହିଛନ୍ତି ମଶା କାମୁଡିଲେ କରୋନା ହେବାର ସମ୍ଭାବନା ନାହିଁ। ଗତ ମାର୍ଚ୍ଚ ମାସରେ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚ୍‌ଓ)ଏହା ସ୍ପଷ୍ଟ କରିଥିଲା। ଏବେ ଆମେରିକାର କ୍ୟାନସସ ୟୁନିଭର୍ସିଟିରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି ମଶା କାମୁଡିଲେ ସାର୍ସ-କୋଭ-୨(SARS-CoV-2) ଭାଇରସ ସଂକ୍ରମିତ ହୋଇ ନ ଥାଏ। ଗବେଷକମାନେ ୩ ପ୍ରଜାତିର ମଶା ଏଡିସ ଏଜିପ୍ଟି, ଏଡିସ ଅଲବୋପିକ୍ଟସ ଓ କ୍ୟୁଲେକ୍ସ କ୍ୱନକେଫେସିଅସସକୁ ନେଇ ଗବେଷଣା କରିଥିଲେ। ଏହି ପ୍ରଜାତିର ମଶା ଚାଇନାରେ ଦେଖାଯାଉଥିବାରୁ ଏହାକୁ ନେଇ ଗବେଷଣା କରାଯାଇଛି। ତେବେ ଏହାଦ୍ୱାରା କରୋନା ସଂକ୍ରମଣ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବାରୁ ଗବେଷକମାନେ ସେଠାକାର ମଶାଙ୍କୁ ନେଇ ଗବେଷଣା କରିଥିବା କୁହାଯାଏ ।

Share