କରୋନା ଭୟରେ ପୁଣି ଚାଇନାରେ ଲକ୍‌ଡାଉନ

ବେଜିଂ,୮ ।୧: କରୋନା ମହାମାରୀ ଏବେବି ବିଶ୍ୱବାସୀଙ୍କୁ ତା’ କବଳରେ ରଖିଛି । କରୋନାର ଉତ୍ପତି ସ୍ଥଳ ଚାଇନା ବି ଏଥିରୁ ବାଦ୍ ପଡିନାହିଁ । ଏବେ ସମସ୍ତଙ୍କ ଚିନ୍ତା ବଢାଇଛି କରୋନାର ନୂଆ ଷ୍ଟ୍ରେନ୍ । ଗତ ୫ ମାସ ମଧ୍ୟରେ ଚାଇନାରେ ସର୍ବାଧିକ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ଜଣାପଡିଛି । ଏହାକୁ ଦେଖି ଏବେ ହୁବଇ ଅଞ୍ଚଳରେ ସରକାର ପୁଣିଥରେ ଲକ୍‌ଡାଉନ ଘୋଷଣା କରିଛନ୍ତି । ଜାପାନର ରାଜଧାନୀ ଟୋକିଓରେ ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମରଜେନ୍ସି ଘୋଷଣା କରାଯାଇଛି । ଏପଟେ ଆମେରିକାରେ ବି ସ୍ଥିତି ଅସମ୍ଭାଳ । ଏଠାରେ କେବଳ କରୋନାରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରି ସାରିଲାଣି । ଏକ ରିପୋର୍ଟ ଅନୁଯାୟୀ, ଚାଇନାରେ ଦ୍ୱିତୀୟଥର ସଂକ୍ରମଣରେ ୮୭,୨୭୮ନୂଆ ସଂକମିତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ୪,୬୩୪ ଜଣଙ୍କର ମୃତ୍ୟୁ ବି ହୋଇ ସାରିଲାଣି । ଏହାସହ ଚାଇନାରେ କିଛି ଅଞ୍ଚଳରେ ସାଉଥ ଆଫ୍ରିକାର ଷ୍ଟ୍ରେନ୍ ମଧ୍ୟ ମିଳିଥିବା କୁହାଯାଏ । ଅନ୍ୟପଟେ ଜାପାନର ରାଜଧାନୀ ଟୋକିଓ ଓ ଏହାର ନିକଟବର୍ତ୍ତି ଅଞ୍ଚଳରେ ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଫେବୃୟାରୀ ୭ ପର୍ଯ୍ୟନ୍ତ ଏଠାରେ ଏମରଜେନ୍ସି ଲାଗୁ କରାଯାଇଛି । ସେପଟେ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସେଠାରେ ତୃତୀୟଥର ଲାଗି ଲକ୍‌ଡାଉନ ଘୋଷଣା କରାଯାଇଛି ।

Share