ବିଶେଷଜ୍ଞଙ୍କ ଚେତାବନୀ: ବର୍ଷାରେ ବଢିବ କରୋନାର ପ୍ରକୋପ !

ନ୍ୟୁୟର୍କ,୧୭।୮: କରୋନା ମହାମାରୀ ସଂକ୍ରମଣ ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ। ଏମିତିକି ନ୍ୟୁଜିଲାଣ୍ଡରେ ଏବେ ପୁଣିଥରେ ଏହା ଫେରୁଥିବା କୁହାଯାଉଛି। ଏହି ସମୟରେ ବିଶେଷଜ୍ଞମାନେ ଚେତବାନୀ ଦେଇ କହିଛନ୍ତି କି ବର୍ଷା ଋତୁରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସମସ୍ତେ ସଚେତନ ରହିବା ଜରୁରୀ। ବିଶେଷଜ୍ଞମାନେ କହିଛନ୍ତି ବର୍ଷାରେ ଓ ବିଶେଷ କରି ଶୀତ ଋତୁରେ କରୋନା ସଂକ୍ରମଣ ଦ୍ୱିଗୁଣିତ ହେବା ବେଳେ ସିଜନାଲ ଫ୍ଲୁ ମଧ୍ୟ ବୃଦ୍ଧି ପାଇବ। କରୋନା ସଂକ୍ରମଣ ବୃଦ୍ଧିକୁ ବିଶେଷଜ୍ଞମାନେ ଡବଲ ମହାମାରୀ ବା ‘ଟ୍ବ୍ବିନଡେମିକ’ ବୋଲି କହୁଛନ୍ତି। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଶୀତ ଋତୁରେ ସିଜନାଲ ଫ୍ଲୁ ଏକ ସାଧାରଣ ଶାରୀରିକ ସମସ୍ୟା ହୋଇଥାଏ। ହେଲେ ଚଳିତ ବର୍ଷ ପ୍ରାୟତଃ ସବୁ ହସ୍ପିଟାଲ କରୋନା ରୋଗୀରେ ଭର୍ତ୍ତି ଥିବାରୁ ସିଜନାଲ ଫ୍ଲୁରେ ଆକ୍ରାନ୍ତ ଲୋକଙ୍କୁ ହସ୍ପିଟାଲ ବେଡ୍‌ ମିଳିବା କାଠିକର ପାଠ ହୋଇଯିବ। ଏହାସହ ସିଜନାଲ ଫ୍ଲୁ ଓ କରୋନାର ପ୍ରାଥମିକ ଲକ୍ଷର ଏକାଭଳି ହୋଇଥିବାରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବା ସହ ଏହା ଚିକିତ୍ସକଙ୍କୁ ଦ୍ୱନ୍ଦ୍ୱରେ ବି ପକାଇବ ବୋଲି ଅନୁମାନ କରାଯାଉଛି। ଏହାସହ ସିଜନାଲ ଫ୍ଲୁରେ ଯଦି କରୋନା ଭାଇରସ ମିଶିଗଲା ତେବେ ଏହା ସାଧାରଣ ଫ୍ଲୁରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ସାରା ବିଶ୍ୱରେ ବିଶେଷଜ୍ଞମାନେ ‘ଟ୍ବିନଡେମିକ’କୁ ନେଇ ଚିନ୍ତିତ ଥିବା ବେଳେ ‘ଫ୍ଲୁ ସଟ’ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେଶନ(ସିଡିସି)ର ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ କହିଛନ୍ତି, ବଡ ବଡ କମ୍ପାନୀକୁ ‘ଫ୍ଲୁ ସଟ୍‌’ ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ପ୍ରତିବର୍ଷ ସିଡିସି ୫ ଲକ୍ଷ ଫ୍ଲୁ ସଟ ଦେଉଥିବା ବେଳେ ଚଳିତ ବର୍ଷ ଏହାକୁ ବଢାଇ ୯.୩ ମିଲିୟନ ପ୍ରଥମ ପର୍ଯ୍ୟାୟରେ ବରାଦ ଦିଆଯାଇଥିବା ଜଣାପଡିଛି। ଆମେରିକାର କରୋନା ଏକ୍ସପର୍ଟ ଡାକ୍ତର ଏନ୍ଥନି ଫାଉଚି ମଧ୍ୟ ଜନତାଙ୍କୁ ଫ୍ଲୁ ସଟ ନେବାକୁ ପରାମର୍ଶ ଦେଇଛନ୍ତି। ବ୍ରିଟେନରେ ମଧ୍ୟ ଏହି ସ୍ଥିତିକୁ ଦେଖି ଫ୍ଲୁ ସଟ୍‌ କ୍ୟାମ୍ପେନ ଆରମ୍ଭ କରାଯାଇସାରିଲାଣି।

Share