Categories: ଜାତୀୟ

ମୋଦିଙ୍କୁ ଚିଠି ଲେଖିଲେ ମନମୋହନ

ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ପଡୁଛି। ଏଥି ସହିତ କରୋନା ଟିକା ମଧ୍ୟ ଅଭାବ ରହିଛି। ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ସେ ଲେଖିଛନ୍ତି ଯେ କରୋନା ବିରୋଧରେ ଆମର ସଂଗ୍ରାମ ଏକ ଜାତୀୟ ଆହ୍ବାନ। ଆମକୁ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେ କହିଛନ୍ତି ଯେ ଟିକାକରଣ ସଂଖ୍ୟା ବଦଳରେ ଜନସଂଖ୍ୟାର କେତେ ପ୍ରତିଶତ ଟିକା ଦିଆଯାଇଛି ସେଥିପ୍ରତି ଧ୍ୟାନ ଦିଆଯିବା ଉଚିତ।
ଗତ ଏକ ବର୍ଷ ଧରି ଭାରତ ସମେତ ସମଗ୍ର ବିଶ୍ୱ କରୋନା ମହାମାରୀର ଶିକାର ହୋଇଛି। ଏହି ମହାମାରୀ ହଜାର ହଜାର ଲୋକଙ୍କ ଚାକିରି ଛଡ଼ାଇ ନେଇଛି। ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର ସୀମାରେଖାକୁ ଆଣିଛି। ବର୍ଷରୁ ଅଧିକ ସମୟ ଧରି ଶିକ୍ଷକମାନେ ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହରେ ଦେଖିନାହାଁନ୍ତି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ କେବେ ସେମାନଙ୍କ ଜୀବନ ସ୍ବାଭାବିକ ରହିବ। ଏହି ସମୟରେ ମୋର ମତ ହେଉଛି ଆଗକୁ ଟିକାକରଣକୁ ବଢାଇବାକୁ ଚେଷ୍ଟା କରାଯିବା ଉଚିତ୍‌ ବୋଲି ମନମୋହନ ସିଂ ଚିଠିରେ ଉଲ୍ଲେଖ କରିଛନ୍ତି।

Share