Categories: ଖେଳ

କୋଭିଡ୍‌-୧୯: ଇଣ୍ଡିଆ ଓପନ୍‌, ସୟଦ ମୋଦି ଟୁର୍ନାମେଣ୍ଟ ବାତିଲ

ନୂଆଦିଲ୍ଲୀ,୨୮।୮ (ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଦୁଇଟି ବିଶ୍ୱସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ଇଣ୍ଡିଆ ଓପନ ସୁପର ୫୦୦ ଓ ସୟଦ ମୋଦି ଅନ୍ତର୍ଜାତୀୟ ସୁପର ୩୦୦ ଟୁର୍ନାମେଣ୍ଟକୁ ବାତିଲ କରିବାକୁ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଗୁରୁବାର ଘୋଷଣା କରିଛି। କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ନୂଆ କ୍ୟାଲେଣ୍ଡରରେ ଏହି ଦୁଇ ଟୁର୍ନାମେଣ୍ଟକୁ ସ୍ଥାନ ମିଳିନାହିଁ।
ପ୍ରଥମେ ଇଣ୍ଡିଆ ଓପନ ମାର୍ଚ୍ଚରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ପରେ ଏହାକୁ ନୂଆଦିଲ୍ଲୀରେ ଡିସେମ୍ବର ୮ରୁ ୧୩ ତାରିଖର ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ସୟଦ ମୋଦି ଟୁର୍ନାମେଣ୍ଟକୁ ନେଭେମ୍ବର ୧୭ରୁ ୨୨ ତାରିଖ ମଧ୍ୟରେ ଖେଳାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ବିଡବ୍ଲ୍ୟୁଏଫ୍‌ ଏବେ ଏଚ୍‌ଏସ୍‌ବିସି ଓ୍ବାଲର୍‌ଡ ଟୁର ୨୦୨୦୨ ପାଇଁ ଏକ ପରିବର୍ତ୍ତିତ ଟୁର୍ନାମେଣ୍ଟ କ୍ୟାଲେଣ୍ଡର ଜାରି କରିବ। ଡେନ୍‌ମାର୍କର ଆରହୁସ୍‌ରେ ଆୟୋଜନ ବେହାକୁ ଥିବା ବିଡବ୍ଲ୍ୟୁଏଫ୍‌ ଥୋମାସ୍‌ ଆଣ୍ଡ ଉବର କପ୍‌ ଫାଇନାଲ୍ସ ୨୦୨୦ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ କ୍ୟାଲେଣ୍ଡରର ଅଂଶବିଶେଷ ହୋଇ ରହିବ। ଏହା ୨୦୨୦ ଅକ୍ଟୋବର ୩ରୁ ୧୧ ତାରିଖ ମଧ୍ୟରେ ଖେଳାଯିବ। ତେବେ କ୍ୟାଲେଣ୍ଡରର ଅନ୍ୟ ଏଚ୍‌ଏସ୍‌ବିସି ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ଟୁର୍ନାମେଣ୍ଟ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ ହେବନାହିଁ। ଖେଳାଳି ଓ ଅନ୍ୟ ଷ୍ଟେକହେଲ୍ଡରଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସୟଦ ମୋଦି ଓ ଇଣ୍ଡିଆ ଓପନ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ଟୁଇଟ୍‌ କରି ସୂଚନା ଦେଇଛି।

Share