Categories: ଖେଳ

କୋଭିଡ୍‌-୧୯: ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ ସ୍ଥଗିତ

ନୂଆଦିଲ୍ଲୀ,୭।୪(ପି.ଟି.): ଓଡ଼ିଶାରେ ଆୟୋଜନ ହେବାକୁ ଯାଉଥିବା ଇଣ୍ଡିଆନ ଓମ୍ୟାନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ରାଜ୍ୟରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଘଟୁଥିବାରୁ ଟୁର୍ନାମେଣ୍ଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଚଳିତ ମାସ ଶେଷଆଡ଼କୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ପରେ ଟୁର୍ନାମେଣ୍ଟ ଆୟୋଜନ ନେଇ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି। ପୂର୍ବରୁ ଅତିବେଶିରେ ମେ’ ମାସରେ ଆୟୋଜନ କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଥିଲା।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବାରୁ ଓଡ଼ିଶା କ୍ରୀଡ଼ା ସହ ଆଲୋଚନା କରାଯାଇଥିଲା। ଖେଳାଳି ଓ ଅଫିସିଆଲଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟୁର୍ନାମେଣ୍ଟକୁ ସ୍ଥଗିତ ରଖାଯାଇଛି। ସ୍ଥିତିରେ ସୁଧାର ହେଲେ ଏଆଇଏଫ୍‌ଏଫ୍‌, ଓଡ଼ିଶା ସ୍ପୋଟର୍‌ସ ଓ ଅଂଶଗ୍ରହଣକାରୀ ଦଳ ମିଳିତ ଭାବେ ଅନୁଧ୍ୟାନ କରିବେ ବୋଲି ଏଆଇଏଫ୍‌ଏଫ୍‌ କହିଛି। ଦିଲ୍ଲୀରେ ଆୟୋଜନ ହେବାକୁ ଥିବା ପ୍ଲେଅଫ୍‌ ଟୁର୍ନାମେଣ୍ଟ ସ୍ଥଗିତ ରଖିବାର ୩ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବୁଧବାରଠାରୁ ପ୍ଲେଅଫ୍‌ ମ୍ୟାଚ୍‌ ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। ଉଲ୍ଲେଖଥାଉ କି ଓଡ଼ିଶାରେ କୋଭିଡ୍‌-୧୯ ମାମଲା ସୋମବାର ଓ ମଙ୍ଗଳବାର ୫୦୦ରୁ ଊର୍ଦ୍ଧ୍ୱ ହୋଇଛି।

Share