ସାମାନ୍ୟ ନୁହେଁ ଓମିକ୍ରନ୍‌: ଏକ ସପ୍ତାହ ମଧ୍ୟରେ ବିଶ୍ୱରେ ଦେଢ କୋଟି ସଂକ୍ରମିତ, ୪୮ ହଜାର ମୃତ୍ୟୁ

ଜେନେଭା,୧୩ ।୧: ସାରା ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧି ହୋଇଚାଲିଛି । ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଏକ ନୂଆ ରିପୋର୍ଟରେ ଦର୍ଶାଇଛି ଗତ ସପ୍ତାହ ମଧ୍ୟରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ୫୫ ପ୍ରତିଶତ ବୃଦ୍ଧି ହୋଇଛି । ମଙ୍ଗଳବାର ରାତିରେ ଜାରି କରାଯାଇଥିବା ରିପୋର୍ଟରେ ଡବ୍ଲୁଏଚଓ କହିଛି ଗତ ସପ୍ତାହରେ ପାଖାପାଖି ୧୫ ମିଲିୟନ ଅର୍ଥାତ୍ ଦେଢ କୋଟି ନୂଆ କୋଭିଡ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଏହାସହ ୪୩ ହଜାରରୁ ଅଧିକ ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ସଂଖ୍ୟା ସ୍ଥିର ଥିବା ରିପୋର୍ଟ ଦର୍ଶାଯାଇଛି । ଆଫ୍ରିକାକୁ ବାଦ୍ ଦେଇ ବିଶ୍ୱର ଅନ୍ୟ ସମସ୍ତ ଦେଶରେ କୋଭିଡ ସଂକ୍ରମଣରେ ବୃଦ୍ଧି ହୋଇଛି । ହେଲେ ଆଫ୍ରିକାରେ କରୋନା ସଂକ୍ରମଣ ୧୧ ପ୍ରତିଶତ କମ ହୋଇଛି ।
ଡବ୍ଲୁଏଚଓର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନମ ଗେବ୍ରିୟେସସ କହିଛନ୍ତି ଗତ ସପ୍ତାହରେ କରୋନା ସଂକ୍ରମଣରେ ପ୍ରାୟ ଦେଢ କୋଟି ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏବେ ପର୍ଯ୍ୟନ୍ତ ଗୋଟିଏ ସପ୍ତାହରେ ହୋଇଥିବା ସଂକ୍ରମଣଠାରୁ ଏହା ସର୍ବାଧିକ । ତେବେ ଅଧିକାଂଶ ସଂକ୍ରମଣ ଓମିକ୍ରନ୍ ଭାରିଏଣ୍ଟ ଯୋଗୁୁ ହୋଇଥିବା ସେ କହିଛନ୍ତି । ଏବେ ଓମିକ୍ରନ୍ ଡେଲ୍ଟାର ସ୍ଥାନ ନେଇଛି । ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇ ସାରିଛନ୍ତି ଓ ଯେଉଁମାନେ ଟିକା ନେଇ ସାରିଛନ୍ତି ସେମାନେ ବି କରୋନାରେ ସଂକ୍ରମିତ ହେଉଥିବା ଡବ୍ଲୁଏଚଓ ମୁଖ୍ୟ ପ୍ରକାଶ କରିଛନ୍ତି । ତେବେ ଓମିକ୍ରନକୁ ହାଲୁକା ଭାବେ ନ ନେଇ କରୋନାର ସମସ୍ତ ନିୟମ ପାଳନ କରିବାକୁ ସେ କହିଛନ୍ତି ।

Share