କୋଭିଡ୍‌-୧୯: ଜୀବନ, ଜୀବିକା ଓ କୃଷି

ସମୀର ଦାଶ

ସାରା ବିଶ୍ୱର ବର୍ତ୍ତମାନର ପରିସ୍ଥିତିକୁ ଅନୁଧ୍ୟାନ କଲେ ଆପଣମାନେ ଜାଣିପାରିବେ ଏକ ଭୂତାଣୁଜନିତ ମହାମାରୀ କିପରି ସମଗ୍ର ବିଶ୍ୱକୁ ନିଜ କବଳରେ କଲବଲ କରୁଛି। ଧନୀ, ଗରିବ, ବିକାଶଶୀଳ, ବିକଶିତ ସମସ୍ତ ଦେଶର ଆର୍ଥିକ, ସାମାଜିକ, ଶିକ୍ଷା, ଧାର୍ମିକ ବ୍ୟବସ୍ଥା ବିଶେଷକରି ସମଗ୍ର ମାନବ ଜାତିର ଜୀବନ, ଜୀବିକା ଓ ଜୀବନଶୈଳୀ ଉପରେ ଏହା ଗୁରୁତର ପ୍ରଭାବ ପକାଇଛି। ଏ ବିଶ୍ୱ ମହାମାରୀକୁ ସାମ୍ନା କରିବା ପାଇଁ ବୈଷୟିକ ଜ୍ଞାନକୌଶଳ ତଥା ଚିକିତ୍ସା ବିଜ୍ଞାନରେ ଅଗ୍ରଗତି କରିଥିବା ରାଷ୍ଟ୍ରମାନେ ମଧ୍ୟ ଅକ୍ଷମ। ଏ କ୍ଷେତ୍ରରେ ଭାରତ ପରି ଏକ ଜନବହୁଳ ରାଷ୍ଟ୍ରରେ ଏ ମହାମାରୀଜନିତ ବିପର୍ଯ୍ୟୟର ଭୟାବହତାକୁ ଅନୁମାନ କରାଯାଇପାରେ। ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତରେ ଏହାର ସଂକ୍ରମଣ ନିୟନ୍ତ୍ରଣରେ ଥିବାବେଳେ ପ୍ରବାସୀମାନଙ୍କର ଘରବାହୁଡ଼ା ଯୋଗୁ ପରିସ୍ଥିତି ଏବେ ଜଟିଳ ହେବାରେ ଲାଗିଛି। ଭାରତର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଆମ ରାଜ୍ୟ ଏହି କୋଭିଡ୍‌-୧୯ ପରିଚାଳନାରେ ଭଲ ସ୍ଥିତିରେ ଥିଲେ ମଧ୍ୟ ନିଜ ଭିଟାମାଟିକୁ ଫେରିଥିବା ପ୍ରବାସୀମାନଙ୍କ ପାଇଁ ଏହା ଏବେ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଖାଲି ସେତିକି ନୁହେଁ, ନିଜ ଭିଟାମାଟିକୁ ଫେରିଆସୁଥିବା ପ୍ରବାସୀମାନଙ୍କୁ ଥଇଥାନ କରିବାଠାରୁ ଆରମ୍ଭକରି ସେମାନଙ୍କ ପାଇଁ କର୍ମ ସଂସ୍ଥାନ ଯୋଗାଇବା, ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ଇତ୍ୟାଦି ସରକାରଙ୍କ ପାଇଁ ଏକ ଆହ୍ବାନ।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଶତକଡ଼ା ୮୦ ଭାଗ ଲୋକଙ୍କ ଜୀବନ, ଜୀବିକା କୃଷି ଉପରେ ନିର୍ଭରଶୀଳ। କିନ୍ତୁ ବିଡ଼ମ୍ବନାର ବିଷୟ ପାରମ୍ପରିକ କୃଷି ପ୍ରତି ଅନାଗ୍ରହ, ଉଜୁଡ଼ି ଯାଇଥିବା କୌଳିକ ବୃତ୍ତି ପ୍ରତି ବିମୁଖ ହୋଇ ଜୀବିକା ଅନ୍ବେଷଣରେ ଅନେକ ଯୁବ ସମ୍ବଳ ରାଜ୍ୟ ଛାଡ଼ି ବାହାର ରାଜ୍ୟକୁ ଚାଲିଯାଇଥିଲେ। ଶିଳ୍ପପତି, ଠିକାଦାରମାନଙ୍କ ଶୋଷଣର ଶିକାର ହୋଇ ସ୍ବଳ୍ପ ଦରମାରେ ନିଜର ଶ୍ରମଦାନ କରି ନିଜ ପରିଚୟକୁ ହଜାଇ ଦେଇଥିଲେ। ହାଡ଼ଭଙ୍ଗା ପରିଶ୍ରମ ସାଙ୍ଗକୁ ଭଡ଼ା ଘରେ ନିଃସଙ୍ଗ ଭାବରେ ଅବସାଦରେ ଜୀବନ ବିତାଉଥିଲେ। ଏ ମହାମାରୀ କରୋନା ପ୍ରଭାବରେ ନିଜର ଜୀବନ ବଞ୍ଚାଇବା ପାଇଁ ଜୀବିକାକୁ ଜଳାଞ୍ଜଳି ଦେଇ ଫେରିଆସିଛନ୍ତି ନିଜ ଭିଟାମାଟିକୁ, ମା’ କୋଳକୁ। ସେମାନଙ୍କ ପାଇଁ ସମୟ ଆସିଛି ଆତ୍ମଚିନ୍ତନ କରିବାର, ନିଜର ପରିଚୟ ଖୋଜିବାର।
ଏଠାରେ ମୁଁ ଗୋଟେ କଥା କହି ରଖିବାକୁ ଚାହୁଁଛି, ଯେତେବେଳେ ସାରା ବିଶ୍ୱରେ କୌଣସି ସଭ୍ୟତା ଆରମ୍ଭ ହୋଇ ନ ଥିଲା ସେ ସମୟରେ ଭାରତ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ସଭ୍ୟତା ଭାବରେ ପରିଗଣିତ ହେଉଥିଲା। ଭାରତବର୍ଷରେ କୃଷି ସମ୍ବନ୍ଧୀୟ ଉଦ୍ଭାବନ ଓ ଆବିଷ୍କାର ରାମାୟଣ, ମହାଭାରତଠାରୁ ଆରମ୍ଭକରି ସିନ୍ଧୁ ସଭ୍ୟତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ମାନବ ସଭ୍ୟତାର ପ୍ରାଥମିକ ଏବଂ ମୌଳିକ ବୃତ୍ତି ବା ଜୀବିକା ହେଉଛି କୃଷି। ଦେଖନ୍ତୁ, ଆପଣ ସକାଳୁ ଉଠନ୍ତି, ବିଛଣା ଛାଡ଼ନ୍ତି, ଆପଣଙ୍କର କେଉଁ ବିଛଣା, ତୁଳା, କତା… ଏ ସବୁ କୃଷିଜାତ ଦ୍ରବ୍ୟ। ଚା’ କିମ୍ବା କଫି ପିଅନ୍ତି। ଚା’ ସହିତ ବିସ୍କୁଟ ଖାଆନ୍ତି, ମାନେ କ୍ଷୀର, ଚିନି, ମଇଦା ଇତ୍ୟାଦି… ପୁଣିଥରେ କୃଷି। ଗାଧୋଇବା ସମୟରେ ଆପଣମାନେ ଯାହାବି ସାବୁନ ବ୍ୟବହାର କରନ୍ତି, ନିମ୍‌, ଆଲୋଭେରା, ଫ୍ଲୋରାଲ, ଟୁଥ୍‌ ପେଷ୍ଟ କିମ୍ବା ଶାମ୍ପୁ, ଏହିସବୁ ମଧ୍ୟ କୃଷିଜାତ ଦ୍ରବ୍ୟ। ଆପଣ ପିନ୍ଧୁଥିବା ପ୍ୟାଣ୍ଟ ଶାର୍ଟ ଝୋଟ ନା ? ତା’ଛଡ଼ା ବଡ଼ ବଡ଼ ଭଣ୍ଡାର ଘର ଦେଖିଥିବେ, ନ ହେଲେ ଡ୍ୟାମ୍‌, କେନାଲ, ବଡ଼ ବଡ଼ କଳକାରଖାନା ଏହି ସବୁଥିରେ ବ୍ୟବହାର ହେଉଥିବା କଞ୍ଚାମାଲ ସବୁ କୃଷି କ୍ଷେତ୍ରରୁ ହିଁ ଆସେ। କୃଷି ବିନା, କୃଷିଜାତ ଦ୍ରବ୍ୟ ବିନା ଆମେ ଗୋଟାଏ ଦିନ ମଧ୍ୟ ବଞ୍ଚିବା କଷ୍ଟକର। ଆଉ ଏ ସବୁ କୃଷିଜାତ ଦ୍ରବ୍ୟର ଉତ୍ପାଦକ କିଏ, କୃଷକ ମାନେ ସାଧାରଣ ଚାଷୀ। ମୋର ଏ କଥା ଲେଖିବାର ଉଦ୍ଦେଶ୍ୟ ଗୋଟିଏ ସାଧାରଣ ଚାଷୀର ମହତ୍ତ୍ୱ ଆମ ଜୀବନରେ କେତେ ତାହା ଆପଣମାନେ ଅନୁଭବ କରନ୍ତୁ। ଆଜି ସାରା ବିଶ୍ୱର ଅର୍ଥନୀତି ଏକ ବିପର୍ଯ୍ୟୟ ମଧ୍ୟ ଦେଇ ଗତି କରୁଥିବା ବେଳେ ବିଶେଷଜ୍ଞମାନଙ୍କ ମତରେ ଭାରତର ଅର୍ଥନୀତି ଉପରେ ଏହାର ପ୍ରଭାବ ପଡ଼ିଲେ ମଧ୍ୟ ପରବର୍ତ୍ତୀ ସମୟରେ କୃଷି ଉତ୍ପାଦନ ଦ୍ୱାରା ହିଁ ଏହାର ପୁନଃ ଭରଣା କରାଯାଇପାରିବ।
ଏ ପରିସ୍ଥିତିରେ ମୋର କହିରଖିବାର କଥା, ସେତେବେଳର ବିପର୍ଯ୍ୟସ୍ତ କୃଷି ବ୍ୟବସ୍ଥା ଏବେ ନାହିଁ। ଆଧୁନିକ ଜ୍ଞାନକୌଶଳ, ସମ୍ପ୍ରସାରିତ ଜଳସେଚନ ସୁବିଧା, ବୈଷୟିକ ତାଲିମ, କୃଷି କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ଏବଂ ପ୍ରତ୍ୟକ୍ଷ ସହଯୋଗ ଇତ୍ୟାଦି ମାଧ୍ୟମରେ ଓଡ଼ିଶାର କୃଷି ଆଜି ବିକଶିତ। ଗଲା ଦଶ ବର୍ଷରେ ଓଡ଼ିଶାର ଖାଦ୍ୟଶସ୍ୟ ଉତ୍ପାଦନର ବୃଦ୍ଧିକୁ ଲକ୍ଷ୍ୟ କଲେ ଆପଣମାନେ ତାହା ଜାଣିପାରିବେ।
ଏହି ପରିପ୍ରେକ୍ଷୀରେ ମୋର ନିଜ ରାଜ୍ୟକୁ ନିଜ ଭିଟାମାଟିକୁ ଫେରି ଆସିଥିବା ପ୍ରବାସୀମାନଙ୍କୁ ଅନୁରୋଧ ସେମାନେ ହତୋତ୍ସାହିତ ନ ହୋଇ ସରକାରଙ୍କ ଅଧୀନରେ ପଞ୍ଜୀକରଣ କରନ୍ତୁ। ପଞ୍ଚାୟତ ସ୍ତରରେ ପ୍ରସ୍ତୁତ ହେଉଥିବା ତାଲିକାରେ ଶ୍ରମିକ, କୁଶଳୀ ଶ୍ରମିକ, ଚାକିରିଆ ଇତ୍ୟାଦି ଶ୍ରେଣୀଭୁକ୍ତ କରାଯାଉଛି। ଯେଉଁମାନେ କୁଶଳୀ ଶ୍ରମିକ କଳକାରଖାନା ଚାଲିଲେ ସେମାନେ ଫେରିଯାଇପାରନ୍ତି। ତଥାପି ସେମାନଙ୍କ କୁଶଳତାକୁ ଦୃଷ୍ଟିରେ ରଖି ଯୋଜନାମାନ ପ୍ରସ୍ତୁତ କରାଯାଉଛି। କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା କୃଷି ଶ୍ରମିକର ଅଭାବ ପୂରଣ କରିବା ଲାଗି ପ୍ରବାସୀ ଶ୍ରମିକମାନଙ୍କର ଯୋଗଦାନ ରହିଲେ ସେମାନେ ନିଜ ଅଞ୍ଚଳରେ କୃଷି କାର୍ଯ୍ୟ କରିବା ସହିତ ସମ୍ମାନର ସହ ବଞ୍ଚିପାରିବେ। କୃଷି କାର୍ଯ୍ୟ ପାଇଁ ପ୍ରବାସୀ ଶ୍ରମିକମାନେ ନିଜ ଅଞ୍ଚଳରେ ନିଜର ଶ୍ରମଦାନ କରିପାରିଲେ ଖାଦ୍ୟଶସ୍ୟ ଉତ୍ପାଦନରେ ନିଜେ ସ୍ବାବଲମ୍ବୀ ହେବା ସହିତ ରାଜ୍ୟର ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନ କରିପାରିବେ। ଏଥିପାଇଁ ରାଜ୍ୟ ସରକାର ଜଙ୍ଗଲ ଅଧିକାର ଆଇନ, ଓଡ଼ିଶା ଭୂସଂସ୍କାର ଆଇନ ମାଧ୍ୟମରେ ଭୂମିହୀନଙ୍କୁ କୃଷି କାର୍ଯ୍ୟ ପାଇଁ ଚାଷ ଜମି ଯୋଗାଇଦେବା ତଥା ଭାଗଚାଷୀଙ୍କ ସୁରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଜମି, ଜଳ, ଜଙ୍ଗଲ, ଜନ୍ତୁ ଏବଂ ଜନ- ଏହି ପାଞ୍ଚ ‘ଜ’ର ସମ୍ବଳରେ ଓଡ଼ିଶାର ମାଟି ଭରପୂର। ଏହାର ସଦୁପଯୋଗ ତଥା ସମନ୍ବିତ ପରିଚାଳନାରେ ନିଜକୁ ନିୟୋଜିତ କରିପାରିଲେ ଆମର ଜୀବନ ସୁରକ୍ଷିତ ରହିବା ସହିତ ଜୀବିକା ମଧ୍ୟ ସୁରକ୍ଷିତ ରହିପାରିବ।
ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଦାଦନ ସମସ୍ୟା

ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗଗୁଡିକର ସମ୍ମିଳିତ ପ୍ରୟାସରେ ରାଜ୍ୟର ଦାଦନ ଶ୍ରମିକମାନଙ୍କୁ କିପରି ରାଜ୍ୟରେ ଜୀବିକା ଅର୍ଜନ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ସେଥିପାଇଁ...

ବାଲିଯାତ୍ରା

ହଜାରେ ବର୍ଷର ସହର କଟକରେ ବାଲିଯାତ୍ରା ରୂପକ ଯାତ୍ରାର ବୟସ ବି ପାଞ୍ଚଶହ ବର୍ଷରୁ ଅଧିକ ବୋଲି ଇତିହାସ କହେ। ଗୋଟିଏପଟେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା,...

ଚାଇନା ଡରାଉଛି

ଚାଇନା ୧ ଦଶନ୍ଧରୁ ଅଧିକ ସମୟ ଧରି ଦକ୍ଷିଣ ଚାଇନା ସାଗରରେ ନିଜର ଶକ୍ତି ଏବଂ ପ୍ରଭାବ ବଢ଼ାଇବା ପାଇଁ ଆକ୍ରମଣାତ୍ମକ ରଣନୀତି ପ୍ରୟୋଗ କରିଆସୁଛି।...

ଗଣମାଧ୍ୟମ ଓ ଅସହାୟ ମଣିଷ

ରେ ବିଖ୍ୟାତ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସଙ୍କୁ ତାଙ୍କର ଜଣେ ବନ୍ଧୁ ଦେଖାକରି କହିଲେ, ବନ୍ଧୁ ସକ୍ରେଟିସ ସହରରେ ଯେଉଁ ଗୁଜବ ବ୍ୟାପିଛି ତାହା ତୁମେ ଜାଣିଲଣି।...

ଜାତୀୟ ସମବାୟ ନୀତିରେ ଓଡ଼ିଶା

ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ସମବାୟ ଅନୁଷ୍ଠାନଗୁଡ଼ିକର ପ୍ରମୁଖ ଭୂମିକା ରହିଛି। ସ୍ବାଧୀନତା ପରେ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଯେଉଁ ଅର୍ଥନୈତିକ ବିକାଶଧାରା ଉନ୍ମୋଚିତ ହୋଇଥିଲା, ସେଥିରେ...

ପୁରାଣରେ ଯକ୍ଷ ଓ ନାଗ

ଭାରତୀୟ ପୁରାଣରେ ଆଶ୍ଚର୍ଯ୍ୟଜନକ ଜୀବ ହେଉଛନ୍ତି ଯକ୍ଷ। ୟୁରୋପୀୟ ପୁରାଣରେ ବର୍ଣ୍ଣିତ ବାମନଙ୍କ ସହ ଏମାନଙ୍କର ଅଧିକ ସାମଞ୍ଜସ୍ୟ ଅଛି। ଯକ୍ଷମାନେ ରତ୍ନ ଏବଂ ସୁନା...

ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର...

ମନ୍ଦଦୃଷ୍ଟି ଓ ମନବୋଧ

ଦିନେ ଜଣେ ବନ୍ଧୁଙ୍କୁ ସଙ୍ଖୋଳିନେବାକୁ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥାଏ। ଏହି ସମୟରେ ଝିଅଟିଏ ଅଟୋ ଚଳାଇ ଆସି ପହଁଚିଲା ଯାତ୍ରୀଭଡ଼ା ଉଦ୍ଦେଶ୍ୟରେ। ଅକସ୍ମାତ୍‌ ଆଖି ପଡ଼ିଲା...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri