ମହାରାଷ୍ଟ୍ରରେ କରୋନା ନେଲାଣି ୧୦୦ ପୋଲିସଙ୍କ ଜୀବନ

ମୁମ୍ବାଇ, ୩୦।୭: କରୋନା ମହାମାରୀ ଦ୍ୱାରା ଭାରତରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ତାଲିକାରେ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରାଣଘାତୀ ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ନିକଟତର ହୋଇଛି। ତେବେ ମହାରାଷ୍ଟ୍ରରେ ଇତିମଧ୍ୟରେ ୧୦୦ ଜଣ ପୋଲିସ କର୍ମଚାରୀ କରେନାରେ ପ୍ରାଣ ହରାଇ ସାରିଛନ୍ତି। ଗୁରୁବାର ମୁମ୍ବାଇ ଓ ଥାନେରେ ଜଣେ ଲେଖାଏ ପୋଲିସ କର୍ମଚାରୀ ମୃତ୍ୟୁବରଣ କରିବା ପରେ ଏହି ସଂଖ୍ୟା ଶତକ ଛୁଇଁଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୩୮ ଜଣ ପୋଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ବାନ୍ଦ୍ରା ଡିଭିଜନର ଆସିଷ୍ଟାଣ୍ଟ କମିଶନର ଅଫ୍‌ ପୋଲିସ (ଏସିପି) ଦତ୍ତାତ୍ରେୟ ଭର୍ଗୁଡେ ରହିଛନ୍ତି। ମୋଟ୍‌ ଉପରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯ ହଜାର ୬୬ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୯୩୭ ଜଣ ଅଧିକାରୀ ରହିଥିବା ଜଣାପଡ଼ିଛି। ତେବେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୭ ହଜାର ୮୪ ଜଣ କର୍ମଚାରୀ ସୁସ୍ଥ ହୋଇଯାଇଥିବା ଆସିଷ୍ଟାଣ୍ଟ ଆଇଜି (ଆଇନ ଶୃଙ୍ଖଳା) ବିନାୟକ ଦେଶମୁଖ ସୂଚନା ଦେଇଛନ୍ତି।

Share