ଭୁବନେଶ୍ୱର,୧୪।୫ : ୧୦ ଦିନ ଧରି ଭେଣ୍ଟିଲେଟରରେ ଜୀବନ ସହ ସଂଗ୍ରାମ କରିବା ପରେ କରୋନାକୁ ମାତ୍ ଦେଇଛି ୨୫ ଦିନର ଶିଶୁକନ୍ୟା। ଉଭୟ ବାପା ମା’ଙ୍କ ସମେତ ପରିବାର ଅନ୍ୟ ସଦସ୍ୟଙ୍କ ରିପୋର୍ଟ ଆସିବା ପରେ ଶିଶୁକନ୍ୟାର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା। ଯାହାର ଫଳାଫଳ ପଜିଟିଭ ଆସିଥିଲା। ୩ ସପ୍ତାହ ପରେ ସୁସ୍ଥ ହୋଇ ଶିଶୁକନ୍ୟା ଘରକୁ ଫେରିଛି ବୋଲି ବିଶେଷଜ୍ଞ ଡ. ଅର୍ଜିତ ମହାପାତ୍ର କହିଛନ୍ତି।
ଜ୍ୱର ଓ ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦେବା ପରେ ଗୁଡିଆ ନାମକ ୨୫ ଦିନିର ଶିଶୁ କନ୍ୟା କଳାହାଣ୍ଡି ଜିଲାରୁ ରେଫର ହୋଇ ଭୁବନେଶ୍ୱର ଆସିଥିଲା। ଶିଶୁକନ୍ୟାକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସାବେଳେ ଡାକ୍ତର ଶିଶୁକନ୍ୟାକୁ ରେମଡେସିଭିର, ଷ୍ଟେରଏଡ୍ସ ଓ ଅନ୍ୟ ଆଣ୍ଟିବାୟୋଟିକ୍ସ ଦେଇଥିଲେ। ୩ ସପ୍ତାହ ପରେ ପୁଣି ଥରେ ଟେଷ୍ଟ କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ଡ. ମହାପାତ୍ର କହିଛନ୍ତି।