Categories: ଜାତୀୟ

ଭାଜପା ବିଧାୟକଙ୍କ ବିବାହରେ କରୋନା କଟକଣାର ଉଲ୍ଲଂଘନ: ସାମିଲ ହୋଇଥିଲେ ଫଡନବିଶ!

ମୁମ୍ବାଇ,୨୨ ।୧୨: ମହାରାଷ୍ଟ୍ରରେ ଏବେବି ଦିନକୁ ଶହ ଶହ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେଥିପାଇଁ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଥିବା ବେଳେ କରୋନା କଟକଣା ମାନି ଚଳିବାକୁ ବାରମ୍ବାର କହୁଛନ୍ତି । ହେଲେ ଏଠାରେ ଏକ ବିବାହ ଉତ୍ସବରେ ଏହି କଟକଣାକୁ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛନ୍ତି ଲୋକେ । ଏମିତିକି ମହାରାଷ୍ଟ୍ରର ନେତାମାନେ ମଧ୍ୟ ଏଥିପ୍ରତି ସଚେତନ ନ ଥିବା ଦେଖାଯାଇଛି । ଅନୁମାନ କରାଯାଏ କି ନେତାମାନେ ନିଜେ ନିୟମ ମାନିଲେ ଜନତା ସେମାନଙ୍କଠାରୁ ପ୍ରେରଣା ପାଇବେ ହେଲେ ଏହାର ଓଲଟା ଚିତ୍ର ଏବେ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ମହାରାଷ୍ଟ୍ରର ପୁଣେରେ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକଙ୍କର ବିବାହ ଅନୁଷ୍ଠିତ ହୋଇଥିଲା । ହେଲେ ଏଠାରେ କରୋନା ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଇଥିବା ଦେଖାଯାଇଛି । ଏଥିରେ ଶହ ଶହ ସଂଖ୍ୟାରେ ଲୋକ ଯୋଗ ଦେଇଥିବା ବେଳେ ନେତାମାନେ ମଧ୍ୟ ମାସ୍କ ପିନ୍ଧି ନ ଥିବା ଦେଖାଯାଇଥିଲା । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ମହାରାଷ୍ଟ୍ର ଭାଜପାର ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ମଧ୍ୟ ବିନା ମାସ୍କରେ ଲୋକମାନଙ୍କ ସହ ମିଳାମିଶା କରୁଛନ୍ତି । ଏହାସହ କେହି ବି ସାମାଜିକ ଦୂରତା ବଜାୟ ରଖୁ ନ ଥିଲେ । ମହାରାଷ୍ଟ୍ର ସରକାରଙ୍କ ନିୟମ ଅନୁଯାୟୀ, ବିବାହରେ କେବଳ ୫୦ ଲୋକ ଯୋଗ ଦେଇପାରିବାର ନିର୍ଦ୍ଦେଶ ରହିଛି । ହେଲେ ଉକ୍ତ ବିବାହ ଉତ୍ସବରେ ଶହ ଶହ ଲୋକଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏନେଇ ପୋଲିସରେ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ହୋଇ ନ ଥିବା ଜଣାପଡିଛି ।

Share