ଡିସେମ୍ବର ୧୪ରୁ ଦଶମ, ଦ୍ୱାଦଶ ଶିକ୍ଷାର୍ଥିଙ୍କ ପାଇଁ ଖୋଲିବ ସ୍କୁଲ: କରୋନା ଯାଞ୍ଚ ପରେ କ୍ଲାସକୁ ଯିବାକୁ ମିଳିବ ଅନୁମତି

ଚଣ୍ଡିଗଡ଼,୧୦।୧୨: କରୋନା ମହାମାରୀ ମଧ୍ୟରେ ହରିଆଣାରେ ପୁଣିଥରେ ଡିସେମ୍ବର ୧୪ରୁ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରତିଦିନ ସକାଳ ୧୦ଟାରୁ ଦ୍ୱିପ୍ରହର ୧ଟା ପର୍ଯ୍ୟନ୍ତ ମାତ୍ର ୩ଘଣ୍ଟା ପାଇଁ ଛାତ୍ରୀଛାତ୍ରଙ୍କ କ୍ଲାସ୍‌ ଚାଲିବ। ତେବେ ସ୍କୁଲ ଆସିବା ପୂର୍ବରୁ ଛାତ୍ରୀଛାତ୍ରଙ୍କ ନିକଟରେ କରୋନା ଟେଷ୍ଟ ରିପୋର୍ଟ ରହିବା ବାଧ୍ୟତାମୂଳକ କରାଯାଇଛି। ଆଉ ଏହି ମେଡିକାଲ ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇ ନ ଥିବ। ଜିଲାର ଅଧିକାରୀମାନେ ମାଗଣାରେ ପିଲାମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଦେବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏତଦ୍‌ ବ୍ୟତୀତ ଛାତ୍ରୀଛାତ୍ର ସ୍କୁଲକୁ ଆସିବା ନେଇ ମାତାପିତାଙ୍କ ଅନୁମତି ମଧ୍ୟ ଆବଶ୍ୟକ ବୋଲି ହରିଆଣା ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଡିସେମ୍ବର ୨୧ରୁ ୯ମ ଓ ଏକାଦଶ ଶ୍ରେଣୀର ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବ ବୋଲି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାର୍ଚ୍ଚ ମାସରୁ ଦେଶର ସମସ୍ତ ସ୍କୁଲ ଓ କଲେଜ ଗୁଡ଼ିକ ବନ୍ଦ ରହିଛି। ବର୍ତ୍ତମାନ ନିଜ ରାଜ୍ୟର ସ୍ଥିତି ସମୀକ୍ଷା କରି ସ୍କୁଲ ଖୋଲିବା ନେଇ ରାଜ୍ୟରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେଇଛନ୍ତି କେନ୍ଦ୍ର ସରକାର।

Share