Categories: ଜାତୀୟ

ମାଡୁଛି କୋଭିଡ୍‌ ବଢୁଛି ଭୟ: ମାସ୍କ ପିନ୍ଧିବାକୁ ପରାମର୍ଶ, ପୂର୍ବରୁ ଆକ୍ରାନ୍ତ ଥିବା ବ୍ୟକ୍ତି ହୋଇଯାଆନ୍ତୁ ସତର୍କ…

ନୂଆଦିଲ୍ଲୀ,୨୧।୧୨: ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ସମୁଦାୟ ୩୫୮ ମାମଲା ସାମ୍ନାକୁ ଆସିଥିବା ବେଳେ ସେଥିମଧ୍ୟରୁ ୩୦୦ଟି କେବଳ କେରଳର ରହିଛି। ଏଥିସହ ଏ ପର୍ଯ୍ୟନ୍ତ ଦେଶରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ କୋଭିଡର ୨,୬୬୯ ସକ୍ରିୟ ମାମଲା ରହିଛି। ବୁଧବାର ରିପୋର୍ଟ ହୋଇଥିବା ୬୧୪ ଦୈନିକ ମାମଲା ମେ’ ଠାରୁ ସର୍ବାଧିକ, ଯେଉଁଥିପାଇଁ ବିପଦ ଯଥେଷ୍ଟ ବୃଦ୍ଧି ପାଇଛି । କରୋନା ନୂଆ ସବ ଭାରିଆଣ୍ଟ ଜେଏନ୍‌.୧କୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏହାକୁ ଜେଏନ୍‌.୧ ଭାବରେ ଶ୍ରେଣୀଭୁକ୍ତ କରିଛି। ବର୍ତ୍ତମାନ ଉପଲବ୍ଧ ପ୍ରମାଣ ଦର୍ଶାଏ ଯେ କୌଣସି ବଡ଼ ବିପଦ ନାହିଁ । ଡବ୍ଲୁଏଚ୍‌ଓ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଉତ୍ତରରେ ଶୀତ ଆରମ୍ଭ ହେବା ସହିତ ଜେଏନ୍‌.୧ ଅନେକ ଦେଶରେ ଶ୍ୱାସକ୍ରିୟା ସଂକ୍ରମଣର ଭାର ବଢାଇପାରେ। ଅନ୍ୟପଟେ କୋଭିଡକୁ ଏକ ସାଧାରଣ ଥଣ୍ଡା ବୋଲି ବିଚାର ନ କରିବାକୁ ଡବ୍ଲୁଏଚ୍‌ଓର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ଚେତାବନୀ ଦେଇଛନ୍ତି। ଯେଉଁମାନେ ଗୁରୁତର ଭାବରେ ଅସୁସ୍ଥ କିମ୍ବା ଦୀର୍ଘକାଳୀନ ସମସ୍ୟାର ଶିକାର ହେଉଛନ୍ତି, ସେମାନେ ଅଧିକ ବିପଦରେ ଅଛନ୍ତି। ଏହି କାରଣରୁ, ହୃଦଘାତ, ଷ୍ଟ୍ରୋକ ଏବଂ ମାନସିକ ସ୍ବାସ୍ଥ୍ୟ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ସ୍ବାମୀନାଥନ ଏହା ମଧ୍ୟ କହିଛନ୍ତି ଯେ, ୨୦୨୦ରେ କରୋନାର ପ୍ରଥମ ଲହର ଏବଂ ୨୦୨୧ରେ ମାରାତ୍ମକ ଡେଲଟା ଲହର ପରଠାରୁ ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ହୋଇଛି। ବଢୁଥିବାକରୋନା ମାମଲାକୁ ନିୟନ୍ତ୍ରଣ କରିବାକୁ ଦେଶ ପ୍ରସ୍ତୁତ ଅଛି। କରୋନା ସମ୍ବନ୍ଧରେ ସତର୍କତା ଅବଲମ୍ବନ କରିବାକୁ ସ୍ବାମୀନାଥନ ଲୋକଙ୍କୁ କହିଛନ୍ତି। ବୃଦ୍ଧ ଏବଂ ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବା ଆରମ୍ଭ କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି।

Share