Categories: ଖେଳ

କୋଭିଡ୍‌-୧୯: ସିଡ୍‌ନୀ ଟେଷ୍ଟର ବିକଳ୍ପ ଭେନ୍ୟୁ ମେଲବୋର୍ନ: କ୍ରିକେଟ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧୨(ପି.ଟି.): ସିଡନୀରେ କୋଭିଡ୍‌-୧୯ ପ୍ରକୋପ ବଢିବାରେ ଲାଗିଥିବା ବେଳେ ଏଠାରେ ଆୟୋଜନ ହେବାକୁ ଥିବା ଭାରତ- ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଟେଷ୍ଟ ଜାନୁୟାରୀ ୭ରୁ ୧୩ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। କରୋନା ସ୍ଥିତି ନିୟନ୍ତ୍ରଣ କରିବାକୁ ପ୍ରାୟସ ଜାରି ରହିଛି। ଯଦି ସ୍ଥିତିରେ ସୁଧାର ନ ଆସେ ତା’ହେଲେ ମେଲବୋର୍ନକୁ ଏହି ମ୍ୟାଚ୍‌ର ବିକଳ୍ପ ଭେନ୍ୟୁ ଭାବେ ବିଚାର କରାଯିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ତରଫରୁ କୁହାଯାଇଛି।
ସିଡ୍‌ନୀରେ କରୋନା ସ୍ଥିତି ପୁଣିଥରେ ଚିନ୍ତା ବଢ଼ାଇଛି। ଫଳରେ ତୃତୀୟ ଟେଷ୍ଟ ଅନିଶ୍ଚିତତା ସୃଷ୍ଟି ହୋଇଛି। ସିଡ୍‌ନୀରେ ଏହି ମ୍ୟାଚ ଆୟୋଜନ କରିବାକୁ ସବୁମତେ ଚେଷ୍ଟା କରାଯିବ ବୋଲି ସିଏ ତରଫରୁ କୁହାଯାଇଛି। ତେବେ ବକ୍ସିଂ ଡେ ଟେଷ୍ଟ ଖେଳାଯିବା ଅବସରରେ ଏ ନେଇ ଅନ୍ତିମ ନିଷ୍ପତ୍ତି ନିଆଯିବ। ଏନେଇ କୁଇନ୍ସଲାଣ୍ଡ ସରକାରଙ୍କ ସହ ବୋର୍ଡ ମିଳିତ ଭାବେ କାର୍ଯ୍ୟକରୁଛି ବୋଲି ସିଏ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି କହିଛନ୍ତି। କୁଇନ୍ସଲାଣ୍ଡ ସରକାର ମଧ୍ୟ ଏ ନେଇ ସମର୍ଥନ କରୁଛନ୍ତି। ପୂର୍ବରୁ ମେଲବୋର୍ନ କ୍ରିକେଟ କ୍ଲବ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଏ ନେଇ ସକାରାତ୍ମକ ମନୋଭାବ ପୋଷଣ କରିଛନ୍ତି। କ୍ରମାଗତ ଦୁଇଟି ଟେଷ୍ଟ ଆୟୋଜନ କରିବାକୁ ମେଲବୋର୍ନ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ସିରିଜର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ ବ୍ରିସ୍‌ବେନ୍‌ର ଗାବା ଷ୍ଟାଡିୟମରେ ଖେଳାଯିବ।

Share