ଦିଲ୍ଲୀ-ଏନ୍‌ସିଆରରୁ ଆସୁଥିବା ବ୍ୟକ୍ତିଙ୍କ ହେବ କରୋନା ଟେଷ୍ଟ: ପଜିଟିଭ୍‌ ଆସିଲେ ଫେରିବେ ନିଜ ରାଜ୍ୟକୁ; ଉତ୍ତରାଖଣ୍ଡ ସରକାର

ଡେରାଡୁନ,୨୬।୧୧: ଦେଶରେ ପୁଣି ଥରେ କରୋନା ସଂକ୍ରମଣ ଲଗାତର ବୃଦ୍ଧି ପାଉଥିବା ମାମଲାକୁ ଦେଖି ରାଜ୍ୟ ସରକାର ଏବେ କଠୋର ନିଷ୍ପତ୍ତି ନେଉଛନ୍ତି। ଏହି କ୍ରମରେ ଦିଲ୍ଲୀ-ଏନ୍‌ସିଆରରୁ ଆସୁଥିବା ଲୋକଙ୍କ ପାଇଁ ଉତ୍ତରାଖଣ୍ଡ ସରକାର କରୋନା ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଯାଞ୍ଚ ସମୟରେ ଯଦି କୌଣସି ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ସେଠାରୁ ଫେରାଇ ଦିଆଯିବ ବୋଲି ଉତ୍ତରାଖଣ୍ଡ ସରକାର କହିଛନ୍ତି। ଏଥିପାଇଁ ଡେରାଡୁନ ଏୟାରପୋର୍ଟ, ଆଇଏସ୍‌ବିଟି ଓ ରେଲଓ୍ବେ ଷ୍ଟେସନରେ ସମସ୍ତ ଯାତ୍ରୀଙ୍କ ପୁନଃ କରୋନା ପରୀକ୍ଷା କରାଯିବ। ଯଦି ଯାଞ୍ଚ ସମୟରେ କେହି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କୁ ସେଠାରୁ ଫେରାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ କହିଛନ୍ତି। ଏଥିସହ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନ ଜାରି କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କିନ୍ତୁ ପରିସ୍ଥିତି ଏବଂ ରାଜ୍ୟବାସୀଙ୍କ ହିତକୁ ଦୃଷ୍ଟିରେ ରଖି ରାତି ଓ ଦିନରେ କିଛି ଘଣ୍ଟା ସମୟ ବନ୍ଦ କରାଯାଇପାରେ। ଏଥିସହ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ଚାଲାଣ କାଟିବା ସହ ମାସ୍କ ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

 

 

Share