ନିର୍ବାଚନ ପ୍ରକ୍ରିୟା ଭଳି ପ୍ରସ୍ତୁତ ହେଉଛି କରୋନା ଟିକାକରଣ ପ୍ରକ୍ରିୟା

ନୂଆଦିଲ୍ଲୀ,୩ ।୧: କରୋନା ଟିକାକୁ ଦେଶବାସୀ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ଅନ୍ୟପଟେ ଲୋକଙ୍କ ପାଖରେ ସୁବିଧାରେ ଏହି ଟିକା ପହଞ୍ଚାଇବାକୁ ସରକାର ବି ପ୍ରସ୍ତୁତି ଜାରି ରଖିଛନ୍ତି । ଶନିବାର ଟିକାକରଣ ପାଇଁ ଡ୍ରାଏ ରନ୍ କରାଯାଇଛି । ୧୨୫ ଜିଲାର ୨୮୫ସେଣ୍ଟର ଏଥିରେ ସାମିଲ ହୋଇଥିବା ବେଳେ ଏହି ଟିକା ଖୁବ୍‌ଶୀଘ୍ର ମିଳିଯିବ ବୋଲି ଆଶା କରାଯାଉଛି । ଇତିମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ କରୋନା ଟିକା ମାଗଣାରେ ଦିଆଯିବ । ଏମାନଙ୍କ ମଧ୍ୟରେ ୨ କୋଟି ଫ୍ରଣ୍ଟଲାଇନ୍ ୱାରିୟର୍ସ ଥିବା ବେଳେ ୧ କୋଟି ହେଲ୍‌ଥ ୱାର୍କର ରହିଛନ୍ତି । ତେବେ ଟିକାକରଣ ପାଇଁ ନିର୍ବାଚନ ପ୍ରକ୍ରିୟା ଭଳି ବୁଥ ସ୍ତର ପର୍ଯ୍ୟନ୍ତ ପ୍ରସ୍ତୁତି ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିରେ ୭୧୯ ଜିଲାରେ ପାଖାପାଖି ୫୭,୦୦୦ ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରାଯାଇଛି । ସେହିପରି ୯୬,୦୦ ଭ୍ୟାକ୍ସିନେଟର୍ସଙ୍କୁ ପ୍ରଶିକ୍ଷଣ ମଧ୍ୟ କରାଯାଇଛି । ଡ୍ରାଏ ରନରେ କେବଳ ଭ୍ୟାକ୍ସିନ ନକଲି ଥିବା ବେଳେ ଆଉ ସବୁ ଅସଲି ଥିଲା ବୋଲି କୁହାଯାଇଛି । ୧୨୫ ଜିଲାର ୨୬୦ରୁ ଅଧିକ ସେଣ୍ଟରରେ ଏହା କରାଯାଇଥିବା ବେଳେ ୨୫ ଜଣ ଲୋକଙ୍କୁ ଭ୍ୟାକ୍ସିନର ଡମି ଡୋଜ ଦିଆଯାଇଥିଲା ।

Share