Categories: ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକରଣ

ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍‌ଆଉଟ୍‌ ହୋଇପାରେ। ଟିକାକୁ ଜାନୁଆରୀ ୩ରେ ମଞ୍ଜୁରୀ ମିଳିଛି। ଏଣୁ ଜାନୁଆରୀ ୧୩ ନଚେତ ୧୪ଠାରୁ ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରେ। କରନାଲ, ବମ୍ବେ, ଚେନ୍ନାଇ ଏବଂ କୋଲକାତାରେ କରୋନା ଟିକାର ୪ ପ୍ରାଥମିକ ଷ୍ଟୋର ରହିଛି। ଏହାଛଡ଼ା ସାରା ଦେଶରେ ୩୭ଟି ସ୍ଥାନରେ ଟିକା ଷ୍ଟୋର କରାଯାଇଛି। ସେଠାରୁ ପର୍ଯ୍ୟାୟକ୍ରମେ ଟିକା ଜିଲାସ୍ତରକୁ ବିତରଣ କରାଯିବ। ଏହାକୁ ନେବା ପାଇଁ ସ୍ବାସ୍ଥ୍ୟ କର୍ମୀ ଏବଂ ଅନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ରେଜିଷ୍ଟ୍ରେଶନ କରିବା ଅନାବଶ୍ୟକ। ସେମାନଙ୍କ ଡାଟାବେସ୍‌ ସରକାରଙ୍କ ପାଖରେ ଅଛି ବୋଲି ମଧ୍ୟ ସଚିବ କହିଛନ୍ତି। ତେବେ ଦେଶରେ ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ। ଏଥିରେ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୫୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ ଅଛନ୍ତି।

Share