ପୁଣି ଚିନ୍ତା ବଢ଼ାଇବ ନୂଆ ଭାରିଆଣ୍ଟ: ଓମିକ୍ରନଠାରୁ ୧୦ଗୁଣା ଅଧିକ ସଂକ୍ରମଣ

ଜେନେଭା,୨।୪: କରୋନା ଭାଇରସ୍‌ର ଏକ ନୂଆ ଭାରିଆଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇବାକୁ ଯାଉଛି। କରୋନାର ନୂଆ ମ୍ୟୁଟାଣ୍ଟ ଭାରିଆଣ୍ଟ ଏକ୍ସଇ ଓମିକ୍ରନର ସବ୍‌ଭାରିଆଣ୍ଟ ବିଏ-୨ ଅପେକ୍ଷା ପ୍ରାୟ ୧୦ଗୁଣ ଅଧିକ ସଂକ୍ରାମକ ହୋଇପାରେ। ଶନିବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ଏନେଇ ଚିନ୍ତା ପ୍ରକଟ କରିଛି। ଏକ୍ସଇ ହେଉଛି ଓମିକ୍ରନ୍‌ର ଦୁଇଟି ସବ୍‌ ଲିନେଜ ବିଏ-୧ ଏବଂ ବିଏ-୨ର ଏକ ରିକମ୍ବିନାଣ୍ଟ ଷ୍ଟ୍ରେନ। ଡବ୍ଲ୍ୟୁଏଚ୍‌ଓର ସଦ୍ୟତମ ରିପୋର୍ଟ ଅନୁସାରେ, ଯଦି ଏହାର ସଂକ୍ରମଣ ହାର ଏବଂ ରୋଗ ଲକ୍ଷଣରେ ବିଶେଷ ପରିବର୍ତ୍ତନ ନ ହୁଏ, ତେବେ ଏହାକୁ ଓମିକ୍ରନ ଭାରିଆଣ୍ଟ ଭାବେ ବିବେଚନା କରାଯିବ। ତେବେ ରିପୋର୍ଟ ଅନୁସାରେ ଏହାର ଗୋଷ୍ଠି ଅଭିବୃଦ୍ଧି ହାର ବିଏ-୨ ତୁଳନାରେ ୧୦ ପ୍ରତିଶତ ଅଧିକ ରହିଥିବା ଜଣାପଡ଼ିଛି। ତଥାପି, ଏହାକୁ ନିଶ୍ଚିତ କରିବା ପାଇଁ ଆହୁରି ତଥ୍ୟ ଆବଶ୍ୟକ। ବିଏ-୨ ସବ୍‌ ଭାରିଆଣ୍ଟ ବର୍ତ୍ତମାନ ପୁରା ବିଶ୍ୱ ପାଇଁ ସବୁଠାରୁ ବଡ଼ ଚିନ୍ତାଜନକ ବୋଲି ଡବ୍ଲୁଏଚ୍‌ଓ କହିଛି। ସୂଚନାଯୋଗ୍ୟ, ଜାନୁଆରୀ ୧୯ରେ ବ୍ରିଟେନରେ ପ୍ରଥମ ଥର ଏକ୍ସଇ ଷ୍ଟ୍ରେନ ଚିହ୍ନଟ ହୋଇଥିଲା। ସେହିଦିନଠାରୁ ଏପର୍ଯ୍ୟନ୍ତ ୬୦୦ରୁ ଊର୍ଦ୍ଧ୍ୱ ଏକ୍ସଇ ମାମଲା ସାମ୍ନାକୁ ଆସିସାରିଛି। ତେବେ ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣ, ଗମ୍ଭୀରତା କିମ୍ବା ଏହା ବିରୋଧରେ କୋଭିଡ-୧୯ ଟିକାକରଣର ଫଳପ୍ରଦତା ବିଷୟରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ ବୋଲି ବ୍ରିଟେନର ସ୍ବାସ୍ଥ୍ୟ ସୁରକ୍ଷା ଏଜେନ୍ସି (ଏଚ୍‌ଏସ୍‌ଏ) ତଥା ମୁଖ୍ୟ ଚିକିତ୍ସା ପରାମର୍ଶଦାତା ସୁଜେନ ହପ୍‌କିନ୍ସ କହିଛନ୍ତି।

Share