ନୂଆଦିଲ୍ଲୀ: ମହାମାରୀ ପୂର୍ବରୁ ଦେଶର ଅଟୋମୋବାଇଲ ଶିଳ୍ପ ମାନ୍ଦାବସ୍ଥା ଦେଇ ଗତି କରୁଥିଲା। ଗତ ୧୫ ମାସ ହେବ ଅଟୋ ଶିଳ୍ପରେ ବିକ୍ରି ଖସି ଚାଲିଛି। ଅଗଷ୍ଟ ମାସର ବିକ୍ରିକୁ ଦେଖିଲେ ଏଥିରୁ ସ୍ପଷ୍ଟ ଜଣାପଡିବ ଯେ ଶିଳ୍ପର ସମସ୍ୟା ସୁଧୁରିବାରେ ନଁା ନେଉନାହିଁ। ଅପରପକ୍ଷରେ କୋଭିଡ୍ ଅଟୋମୋବାଇଲ ଡିଲରଙ୍କର ଅଣ୍ଟା ଭାଙ୍ଗିଦେଇଛି ବୋଲି ଫେଡେରେଶନ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ୍ସ (ଫାଡା) ପକ୍ଷରୁ ଗୁରୁବାର ପ୍ରକାଶିତ କୋଭିଡ୍ ୧୯ ଡିଲର ସପୋର୍ଟ ସାଟିସ୍ଫାକସନ ସର୍ଭେରେ ଏହା କୁହାଯାଇଛି। ଫାଡାର ସଭାପତି ଭିଙ୍କେଶ ଗୁଲାଟି କହିଛନ୍ତି, ଅଟୋ ଡିଲରଙ୍କ ସହାୟତା କରିବା ଦିଗରେ କିଛି ଓଏଏମ୍ ପଦକ୍ଷେପ ହାତକୁ ନେଇଛନ୍ତି। କେତେଜଣ ଡିଲରଙ୍କୁ ଭଲ ସୁବିଧା ମିଳିଥିବା ବେଳେ ଆଉ କେତେକେ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ବାଣିଜ୍ୟକୁ ଆଗକୁ ବଢାଇବା ଏବଂ ଲକ୍ଡାଉନ ପରେ ପୁଣି ଥରେ ବାଣିଜ୍ୟ ଆରମ୍ଭ କରିବା ଡିଲରଙ୍କ ସାମ୍ନାରେ ୨ଟି ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଓଇଏମ୍ଗୁଡିକରୁ ସହାୟତା ମିଳିଲେ କାରବାରକୁ ସମ୍ଭାଳିବା ଦିଗରେ ଏହା ସହାୟକ ହେବ ବୋଲି ଡିଲର ଆଶାବାଦୀ ରହିଛନ୍ତି। କଷ୍ଟମର ଇନ୍ସାଇଟ କନ୍ସଲଟିଂ ଫାର୍ମ ପ୍ରିମୋନ ଏସିଆ ସହଯୋଗରେ ଏହି ଅଧ୍ୟୟନ କରାଯାଇଥିଲା।