୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କଠାରୁ କରୋନା ବ୍ୟାପିବାର ସମ୍ଭାବନା ଅଧିକ !

ଓ୍ବାଶିଂଟନ,୩୧।୭: କରୋନା ମହାମାରୀ ଏବେ ଭୟଙ୍କର ରୂପ ନେଇଥିବା ବେଳେ କେତେକ ସ୍ଥାନରେ ଏହା ଗୋଷ୍ଠୀ ସଂକ୍ରମଣରେ ପରିଣତ ହୋଇଥିବା କୁହାଯାଉଛି। ଏଭଳି ସମୟରେ ଜେଏଏମ୍‌ଏ ପେଡିଆଟ୍ରିକ୍ସ ଦ୍ୱାରା କରାଯାଇଥିବା ଏକ ଗବେଷଣା କହୁଛି ଯେ ୧୦ ବର୍ଷରୁ କମ୍‌ ବୟସର ଶିଶୁଙ୍କ ଦ୍ୱାରା କରୋନା ଭାଇରସ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ବୟସ୍କ ଓ ଯୁବବର୍ଗଙ୍କ ତୁଳନାରେ ଏହି ଶିଶୁଙ୍କ ନିକଟରେ କରୋନା ଭାଇରସର ଜେନେଟିକ ମ୍ୟାଟେରିଆଲ୍ସ ୧୦-୧୦୦ଗୁଣା ଅଧିକ ରହିଛି। ଏହାର ଅର୍ଥ ହେଉଛି ଏହି ଶିଶୁ ଗୋଷ୍ଠୀ ସଂକ୍ରମଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି। ୨୩ ମାର୍ଚ୍ଚରୁ ୨୭ ଏପ୍ରିଲ ମଧ୍ୟରେ ଆମେରିକାର ଚିକାଗୋରେ ୧୪୫ ଜଣ ରୋଗୀଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଏକ ଗବେଷଣାରୁ ଜଣାପଡିଥିଲା କି ଶିଶୁମାନଙ୍କ ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ଏବେ ଏଭଳି କଥାକୁ ନେଇ ଶିଶୁମାନଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Share