Categories: ଜାତୀୟ

କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ତୁରନ୍ତ କର

ନୂଆଦିଲ୍ଲୀ,୫।୨ କୋଭିଡ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ନୋଡାଲ ଅଫିସର ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ଶୀଘ୍ର କରାଇବାରେ ନୋଡାଲ ଅଫିସରମାନେ ରାଜ୍ୟର ଆଇନସେବା କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଏ)ର ସଦସ୍ୟ ସଚିବଙ୍କ ସହ ସମନ୍ବୟ ରଖି କାର୍ଯ୍ୟ କରିବାକୁ କୁହାଯାଇଛି। ସମ୍ପୃକ୍ତ ଏସ୍‌ଏଲ୍‌ଏସ୍‌ଏକୁ ରାଜ୍ୟ ସରକାର ସପ୍ତାହେ ମଧ୍ୟରେ ମୃତକଙ୍କ ସବିଶେଷ ତଥ୍ୟ ଓ ମୃତ୍ୟୁ ପ୍ରମାଣପତ୍ର ଯୋଗାଇଦେବା ସହ ମୃତକଙ୍କ ଅନାଥ ପିଲାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଜଷ୍ଟିସ୍‌ ଏମ୍‌.ଆର୍‌. ଶାହା ଏବଂ ବି.ଭି. ନାଗରତ୍ନଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଉଲ୍ଲଂଘନ ହେଲେ ଏହାକୁ ଗମ୍ଭୀରତାର ସହ ନିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ମୃତକଙ୍କ ଅନାଥ ପିଲାଙ୍କୁ କ୍ଷତିପୂରଣ ସହାୟତା ଯୋଗାଇଦେବା ଜନମଙ୍ଗଳ ରାଜ୍ୟର ଶେଷ ଲକ୍ଷ୍ୟ ହୋଇଥିବାରୁ ବୈଷୟିକ ତ୍ରୁଟି ଦର୍ଶାଇ କୌଣସି କ୍ଷତିପୂରଣ ଆବେଦନକୁ ଖାରଜ କରାଯିବା ଉଚିତ ନୁହେଁ। ଏଥିପାଇଁ ଆବେଦନ ପତ୍ରରେ ସଂଶୋଧନ କରିବା ଲାଗି ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ଖଣ୍ଡପୀଠ କହିଛନ୍ତି। ଆବେଦନ ଗ୍ରହଣର ୧୦ ଦିନ ମଧ୍ୟରେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ଦିଗରେ ସରକାର ସମସ୍ତ ପଦକ୍ଷେପ ନେବା ଉଚିତ ବୋଲି ଖଣ୍ଡପୀଠ କହିଛନ୍ତି।

Share