Categories: ଜାତୀୟ

ଲକ୍ଷ୍ନୌରେ କରୋନା ମୃତ୍ୟୁ ସଂଖ୍ୟା ଲୁଚାଯାଉଛି

ଲକ୍ଷ୍ନୌ, ୧୪ା୪- ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ରାଜଧାନୀ ଲକ୍ଷ୍ନୌର କରୋନା ସ୍ଥିତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ଲକ୍ଷ୍ନୌରେ କୋଭିଡ୍‌ ୧୯ କାରଣରୁ ସରକାରୀ ସ୍ତରରେ ଦର୍ଶାଯାଇଥିବା ମୃତ୍ୟୁ ସଂଖ୍ୟାଠାରୁ ଢ଼େର ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କାରଣ ସରକାରୀ ସ୍ତରରେ ଦର୍ଶାଯାଇଥିବା ସଂଖ୍ୟା ସହ ମେଳ ଖାଉନି ଶବଦାହ କେନ୍ଦ୍ରର ତଥ୍ୟ।

ସରକାରୀ ତଥ୍ୟ ଅନୁଯାୟୀ, ଲକ୍ଷ୍ନୌରେ ଗତ ୭ ଦିନରେ କରୋନା କାରଣରୁ ୧୨୪ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ରାଜଧାନୀର ଶବଦାହ ଗୃହର ସଂଗୃହୀତ ରେକର୍ଡ ଦର୍ଶାଉଛି କୋଭିଡ୍‌ ଗତ ସପ୍ତାହରେ ନେଇଛି ୪୦୦ ଲୋକଙ୍କ ଜୀବନ। ଏହାର ଅର୍ଥ ୨୭୬ ଜଣ ମୃତ୍ୟୁକୁ ସରକାରୀ ରେକର୍ଡରେ ସ୍ଥାନ ଦିଆଯାଇ ନାହିଁ। ଗତ ୧୩ ତାରିଖରେ ମାତ୍ର ୧୮ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ୮୬ ଜଣଙ୍କ ଶବ ସଂସ୍କାର କରାଯାଇଥିଲା। ସେହିଭଳି ୧୨ରେ ସମାନ ସଂଖ୍ୟକ ଲୋକଙ୍କ ଶବ ସଂସ୍କାର ହୋଇଥିଲା। କିନ୍ତୁ ସରକାରୀ ରିପୋର୍ଟରେ ଦର୍ଶାଯାଇଥିଲା ୨୧ ଜଣଙ୍କ ମୃତ୍ୟୁ ହୋଇଛି।

ତେବେ ଏସମ୍ପର୍କରେ ୟୁପିର ଉପ ମୁଖ୍ୟମନ୍ତ୍ରୀ ଦୀନେଶ ଶର୍ମା କହିଛନ୍ତି, ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓ ସିଏମ୍‌ଓ ସହ ଯୋଡ଼ି ହୋଇଥିବା ଲୋକଙ୍କ ରେକର୍ଡ ରଖାଯାଉଛି। ଅନ୍ୟ ଜିଲା ଓ ରାଜ୍ୟରୁ ଆସିଥିବା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଏଠାରେ ଶବଦାହ କରାଯାଉଛି।

Share